ସତ୍ୟଶିଖା(ଭଦ୍ରକ) ୦୯/୧୨/୨୦୨୦ : ଗୋଟିଏ ବତକ ହଜିବା ନେଇ ନାବାଳକକୁ ବିଷ ପିଆଇବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ବନ୍ତ ପୋଲିସ ଅଭିଯୁକ୍ତ ରବୀନ୍ଦ୍ର ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣା ସଂପୂର୍ଣ୍ଣ ମିଛ ବୋଲି ଅଭିଯୁକ୍ତ ସଫେଇ ଦେଇଛନ୍ତି । ହେଲେ ଅଭିଯୋଗ ସତ୍ଵେ ପୁଲିସ ପ୍ରଥମେ ଅଭିଯୁକ୍ତଙ୍କୁ ଗିରଫ କରିନଥିଲା । ଗଣମାଧ୍ୟମରେ ଖଦବ ପ୍ରସାରଣ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ବରପଦି ଗାଁର ରବୀନ୍ଦ୍ର ନାୟକଙ୍କ ଘରେ ସୁଶାନ୍ତ କାମ କରୁଥିଲେ । ସେ ତାଙ୍କ ଫାର୍ମ ହାଉସରେ ମଧ୍ୟ କେଉଁଝର ଜିଲ୍ଲାର ୯ ବର୍ଷ ବୟସ୍କ ସୁଶାନ୍ତ ଜେନାଙ୍କୁ କାମ କରାଉଥିଲେ । ସେହି ଫାର୍ମ ହାଉସର ଗୋଟିଏ ବତକ ହଜି ଯାଇଥିଲା । ବତକ ହଜି ଯିବାକୁ ନେଇ ସୁଶାନ୍ତଙ୍କୁ ମାଲିକ ରବୀନ୍ଦ୍ର ମଦ୍ୟପାନ କରି ପୋଖରୀକୁ ଫିଙ୍ଗି ଦେଇଥିଲେ । ପରେ ସୁଶାନ୍ତର ଚେତା ନଆସିବାରୁ ତାଙ୍କୁ ଘରକୁ ନେଇ ବିଷ ପିଆଇ ଦେଇଥିଲେ । ଗୁରୁତର ହେବାରୁ ବନ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ଅଛନ୍ତି । ଅଭିଯୁକ୍ତ ମାଲିକ ମଧ୍ୟ ନାବାଳକ ନିକଟରେ ରହିଛନ୍ତି ।
ତେବେ ଚାଇଲ୍ଡ ଲାଇନ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଥାପି ଅଭିଯୁକ୍ତକୁ ପୋଲିସ ଗିରଫ କରିନଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନ୍ତ ପୋଲିସ ଅଭିଯୁକ୍ତ ରବୀନ୍ଦ୍ର ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଅଭିଯୁକ୍ତ ସଫେଇ ଦେଇଛନ୍ତି ଯେ ଘଟଣା ସମ୍ପୁର୍ଣ ମିଛ । ନାବାଳକଙ୍କୁ ସେ ନିର୍ଯାତନା ଦେଇନାହାନ୍ତି ।