

ସତ୍ୟଶିଖା (ଭୁବନେଶ୍ୱର) ୧୨/୦୨/୧୦୨୧ : ଝାରପଡ଼ା ସ୍ଵତନ୍ତ୍ର ଜେଲ୍ରେ ଆଜି ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲାରେ କରୋନା ପଜିଟିଭ୍ ଜଣେ ଅଭିଯୁକ୍ତଙ୍କୁ ରାତି ସାରା ଜେଲ୍ ପ୍ରତୀକ୍ଷା ଗୃହରେ କାଟିବାକୁ ପଡ଼ିଛି । କୋର୍ଟରେ ହାଜର କରାଇବା ପରେ ଖୋର୍ଦ୍ଧା ବାଣପୁର ଥାନା ପୁଲିସର ଏସ୍କର୍ଟ ଟିମ୍ ଅଭିଯୁକ୍ତକୁ ଜେଲ୍ରେ ଛାଡ଼ିବାକୁ ଆସିଥିଲେ । ମାତ୍ର ଅଭିଯୁକ୍ତ କରୋନା ପଜିଟିଭ୍ ଜାଣିବା ପରେ ଜେଲ୍ କର୍ତ୍ତୃପକ୍ଷ ଭିତରକୁ ପ୍ରବେଶ ପାଇଁ ମନା କରି ଦେଇଥିଲେ । ଏଣେ ପୁଲିସ ଜିଦ୍ରେ ଅଟଳ ରହି ଅଭିଯୁକ୍ତକୁ ଧରି ରାତିତମାମ୍ ଜେଲ୍ ପ୍ରତୀକ୍ଷା ଗୃହରେ ବସି ରହିଥିଲେ । ଉଭୟ ଉଭୟଙ୍କ ଜିଦ୍ରେ ଅଟଳ ରହିଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗ ମାମଲାରେ ବାଣପୁର ଥାନା ପୁଲିସ ଗତକାଲି ଅଭିଯୁକ୍ତ ସନ୍ତୋଷ ବେହେରାକୁ ଗିରଫ କରିଥିଲା । ସନ୍ତୋଷ ବିରୋଧରେ ପୋକ୍ସୋ ଆଇନ ଲାଗିଥିଲା ।
ଆଜି ଅପରାହ୍ଣରେ ଭୁବନେଶ୍ବରସ୍ଥିତ ସ୍ଵତନ୍ତ୍ର ପୋକ୍ସୋ କୋର୍ଟରେ ତାକୁ ପୁଲିସ ହାଜର କରାଇଥିଲା । ଭିଡିଓ କନଫରେନ୍ସିଂରେ ତାକୁ ହାଜର କରିବା ପରେ ତା’ର ଜାମିନ ନାମଞ୍ଜୁର ହୋଇଥିଲା । କୋର୍ଟ ଚାଲାଣ ପୂର୍ବରୁ ବାଣପୁରରେ ସନ୍ତୋଷର କୋଭିଡ୍ ପରୀକ୍ଷା କରାଯାଇଥିଲା ଓ ସେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡ଼ିଥିଲା । କିନ୍ତୁ ପୁଲିସ ସନ୍ତୋଷକୁ ଧରି ଯେତେବେଳେ ଜେଲ୍ରେ ପହଞ୍ଚିଥିଲା, ତା’ର କୋଭିଡ୍ ରିପୋର୍ଟ ପଜିଟିଭ୍ ଦେଖି ତାକୁ ଜେଲ୍ରେ ପ୍ରବେଶ ପାଇଁ କର୍ତ୍ତୃପକ୍ଷ ମନା କରିଦେଇଥିଲେ । ସେତେବେଳକୁ ସନ୍ଧ୍ୟା ପ୍ରାୟ ୬ଟା ବାଜିଥିଲା ।
ଜେଲ୍ ଅଧୀକ୍ଷକ ଡିଏନ୍ ବାରିକ କହିଛନ୍ତି ଯେ ଏସ୍ଓପି ଅନୁସାରେ ଅଭିଯୁକ୍ତ କୋଭିଡ୍ ପଜିଟିଭ୍ ଥିଲେ, ପୁଲିସ ତାକୁ କ୍ବାରାଣ୍ଟିନ୍ କେନ୍ଦ୍ରରେ ଭର୍ତ୍ତି କରିବାର ନିୟମ ରହିଛି । ସେହି ଅଭିଯୁକ୍ତକୁ ଜେଲ୍କୁ ଅଣାଯାଇ ପାରିବ ନାହିଁ କିମ୍ବା ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଅନ୍ୟପକ୍ଷରେ ବାଣପୁର ପୁଲିସ କହିବା କଥା, ଜେଲ୍ରେ କ୍ବାରାଣ୍ଟିନ୍ ବ୍ୟବସ୍ଥା ଥିବା ଆମେ ଜାଣିଥିଲୁ । ସେଥିପାଇଁ ଅଭିଯୁକ୍ତକୁ ଏଠାକୁ ଆଣିଥିଲୁ । ଏବେ ପ୍ରଶ୍ନ ଉଠୁଛି ଅଭିଯୁକ୍ତ ଏବେ ଯିବ କୁଆଡ଼େ? ଯଦି ଜେଲ୍ କର୍ତ୍ତୃପକ୍ଷ ଏସ୍ଓପି ପାଳନ କରୁଛନ୍ତି, ତାହାଲେ ପୁଲିସ କାହିଁକି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରୁନାହିଁ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଛିଡ଼ା ହୋଇଛି ।