ନ୍ୟୁଜ୍ରାଜ୍ୟ

ନ୍ୟାୟ ମିଳିଲା ୩୧ ବର୍ଷ ପରେ

ସତ୍ୟଶିଖା (କଟକ) ୦୫/୦୧/୨୦୨୧ : ବିଳମ୍ବିତ ନ୍ୟାୟ ହେଉଛି ନ୍ୟାୟ ବ୍ୟବସ୍ଥାର ସବୁଠାରୁ ମାରାତ୍ମକ ରୂପ । ବାର୍ ସଦସ୍ୟଙ୍କ ଶୃଙ୍ଖଳା, କାର୍ଯ୍ୟ ଲାଗି ଆତ୍ମୋତ୍ସର୍ଗ, ପୂର୍ଣ୍ଣାଙ୍ଗ ପ୍ରସ୍ତୁତି, ସକ୍ରିୟ ସହଯୋଗ ଦ୍ୱାରା ଅଦାଲତଙ୍କ ମୂଲ୍ୟବାନ ସମୟ ରକ୍ଷା କରାଯାଇ ପାରିବ ଓ ପୁରୁଣା କ୍ରିମିନାଲ ଅପିଲଗୁଡିକର ଶୀଘ୍ର ଫୈସଲା ପାଇଁ ବାଟ ଫିଟିବ । ଏଭଳି ପୁରୁଣା ଅପିଲ ନ୍ୟାୟପାଳିକା ମୁଣ୍ଡ ଉପରେ ଡେମୋ‌କ୍ଲିସ୍ ଖଣ୍ଡା ପରି ରହିଛି ବୋଲି ହାଇକୋର୍ଟ କହିଛନ୍ତି । ଏହି ସବୁ ମାମଲାର ତ୍ୱରିତ ଫୈସଲା କରାଯିବା ଉଚିତ । ରୋମ୍ ଗୋଟିଏ ଦିନରେ ନିର୍ମାଣ ହୋଇ ନଥିଲା ବୋଲି ସମସ୍ତେ ସଂପୂର୍ଣ୍ଣ ଭାବେ ସ‌େଚତନ ହେବା ଉଚିତ । କିଛି ଭଲ ଓ ଗୁରୁତ୍ୱପୂର୍ଣ୍ଣ କରିବା ପାଇଁ ଅହରହ ଉଦ୍ୟମ କରାଯିବା ଉଚିତ । ଏଥିପାଇଁ ସମୟ ଲାଗି ପାରେ ବୋଲି ହାଇକୋର୍ଟ କହିବା ସହିତ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱରୋପ କରିଛନ୍ତି । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୯୮୯ର ଏକ କ୍ରିମିନାଲ ଅପିଲର ଶୁଣାଣି କରି ପ୍ରକାଶ କରିଥିବା ରାୟରେ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବା ଉପରେ ଗୁରୁତ୍ୱରୋପ କରିଛନ୍ତି । ଏଥି ସହିତ ସମ୍ବଲପୁର ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ ୧୯୮୯ ଅକ୍ଟୋବର ୨୬ରେ ଶ୍ରୀଧର ସ୍ଵାଇଁ ଓ ମହେଶ୍ୱର ବେ‌ହେରାଙ୍କୁ ପ୍ରଦାନ କରିଥିବା ଦଣ୍ଡାଦେଶକୁ ଖଣ୍ଡପୀଠ ରଦ୍ଦ କରିଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ, ରାଉରକେଲା ପୌରାଞ୍ଚଳରେ କେତେକ ମରାମତି ଓ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ଭିଜିଲାନ୍ସ ୧୯୮୩ ଜାନୁଆରି ୫ରେ ଏତଲା ରୁଜୁ କରିଥିବାବେଳେ ତଦନ୍ତ ପରେ ୧୯୮୪ ଡିସେମ୍ବର ୩୧ରେ ଆବେଦନକାରୀଙ୍କ ସହିତ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା । ୧୯୮୬ ଜୁଲାଇ ୭ରେ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତରେ ଚାର୍ଜଫ୍ରେମ୍ ହୋଇଥିବାବେଳେ ୧୯୮୯ ଅକ୍ଟୋବର ୨୬ରେ ସମ୍ବଲପୁର ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ ଚୂଡାନ୍ତ ରାୟ ପ୍ରକାଶ କରିଥିଲେ । ତତ୍କାଳୀନ ରାଉ‌ରକେଲା ମ୍ୟୁନିସିପାଲ ଇଂଜିନୟର ଶ୍ରୀ ସ୍ଵା‌ଇଁ ଓ ଟେଣ୍ଡର ନେଇଥିବା ଶ୍ରୀ ବେହେରାଙ୍କ ସହିତ ଅନ୍ୟଜଣଙ୍କୁ ଭିଜିଲାନ୍ସ ଅଦାଲତ ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ଉଭୟ ୧୯୮୯ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହିତ ଆବେଦନକାରୀଙ୍କୁ ଜାମିନ ମଞ୍ଜୁର କରିଥିଲେ ।

Show More
Back to top button