
ସତ୍ୟଶିଖା (ଶାରଜା) ୨୩/୧୦/୨୦୨୦ : ଆଇପିଏଲ ୧୩ତମ ସଂସ୍କରଣର ୪୩ତମ ମ୍ୟାଚ୍ରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ । ଏହି ମ୍ୟାଚ୍ ଚେନ୍ନାଇ ପାଇଁ କର ବା ମର ପାଲଟିଛି । ଯଦି ଆଜି ଚେନ୍ନାଇ ପରାଜିତ ହୁଏ ତେବେ ପ୍ଲେ ଅଫ ଦୌଡରୁ ବାଦ୍ ପଡିବ । ମୁମ୍ବାଇ ଜିତିଲେ ପଏଣ୍ଟ ଟେବୁଲ୍ର ଶୀର୍ଷରେ ପହଞ୍ଚିବ । ଆଇପିଏଲର ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜିତ କରିବା ପରଠୁ ଦଳର ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି । ଆଇପିଏଲ ଇତିହାସରେ ପ୍ରଥମ ଥର ଦଳ ପ୍ଲେଅଫ୍ରୁ ବାଦ୍ ପଡିବାର ଦ୍ଵାର ଦେଶରେ ଛିଡା ହୋଇଛି ।ଚେନ୍ନାଇ ସୁପରକିଙ୍ଗ୍ସ ଏ ପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ରୁ ୭ଟିରେ ପରାଜିତ ହୋଇଥିବା ବେଳେ ମାତ୍ର ୩ଟିରେ ବିଜୟୀ ହୋଇଛି । ଦଳ ୬ ପଏଣ୍ଟ ସହ ଟେବୁଲର ସର୍ବ ନିମ୍ନ ସ୍ଥାନରେ ରହିଛି । ଦଳକୁ ପ୍ଲେଅଫରେ ପ୍ରବେଶ କରିବା ମୁସ୍କିଲ ହୋଇ ପଡିଛି । ଅନ୍ୟପଟେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସ ୯ଟି ମ୍ୟାଚ୍ରୁ ୬ ବିଜୟ ସହିତ ତାଲିକାର ତୃତୀୟରେ ରହିଛି । ଦଳର ନେଟ୍ ରନ ରେଟ୍ ମଧ୍ୟ ସବୁ ଦଳକୁ ଭଲ ରହିଛି । ୧୬ ପଏଣ୍ଟ ହାସଲ କଲେ ପ୍ଲେ ଅଫରେ ପହଞ୍ଚିବା ସୁନଶ୍ଚିତ ହୋଇଥାଏ । ଏପର୍ଯ୍ୟନ୍ତ କୌଣସି ଦଳକୁ ୧୬ ପଏଣ୍ଟ ମିଳିନାହିଁ । ହେଲେ ଶୀର୍ଷ ୫ରେ ମୁମ୍ବାଇ ବ୍ୟତୀତ ଦିଲ୍ଲୀ, ବେଙ୍ଗାଲୁରୁ ଓ ହାଇଦ୍ରାବାଦର ୪-୪ ମ୍ୟାଚ୍ ବାକି ରହିଛି ।
ଅପରପକ୍ଷେ ଚେନ୍ନାଇକୁ ଗତ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୭ ଓ୍ଵିକେଟ୍ରେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ୫ ଓ୍ଵିକେଟ୍ରେ ପରାଜିତ କରିଥିଲା । ଫଳରେ ଦଳର ମନବୋଳ ଭାଙ୍ଗି ସାରିଛି । ଅନ୍ୟପଟେ ମୁମ୍ବାଇର ଗତ ମ୍ୟାଚ୍ ପଞ୍ଜାବ ବିପକ୍ଷରେ ଟାଇ ରହିଥିଲା । ଏହା ପରେ ଦୁଇ ଦୁଇଟି ସୁପର ଓଭରରେ ଲୋକେଶ ରାହୁଲଙ୍କ ଦଳ ବାଜି ମାରି ନେଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଯଦି ମୁମ୍ବାଇକୁ ପରାସ୍ତ କରେ ତେବେ ଏହାର ୮ ପଏଣ୍ଟ ହୋଇଯିବ । ନେଟ୍ ରନ ରେଟ୍ ଆଧାରରେ ଦଳକୁ ୫ ନମ୍ବରରେ ସ୍ଥାନ ମିଳିପାରେ । ହେଲେ ପ୍ଲେଅଫ୍ରେ ଜାଗା ପାଇଁ ବାକି ସମସ୍ତ ମ୍ୟାଚ୍ କେବଳ ଜିତିବାକୁ ପଡିବ ନାହିଁ ବରଂ ବଡ ବ୍ୟବଧାନରେ ଜିତିବାକୁ ପଡିବ । କେବଳ ଏତିକି ନୁହେଁ ଦଳକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଶାରଜା ମ୍ୟାଚ୍ରେ ଯଦି ଚେନ୍ନାଇ ସୁପର କିଙ୍ଗ୍ସ ପରାଜିତ ହୁଏ ତେବେ ପ୍ଲେଅଫ ରାସ୍ତା ବନ୍ଦ ହୋଇଯିବ । ଦଳ ୬ ପଏଣ୍ଟରେ ରହିଯିବ ଏବଂ ମୁମ୍ବାଇର ୧୪ ପଏଣ୍ଟ ହୋଇଯିବ ।