

ସତ୍ୟଶିଖା (ଭୁବନେଶ୍ୱର)୨୩/୦୨/୨୦୨୧ : ମଙ୍ଗଳବାରଠାରୁ ବି.ଇ, ବି.ଟେକ୍, ବି.ଆର୍କ ଏବଂ ବି.ପ୍ଳାନ୍ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ର ଫେବୃଆରୀ ସେସନ୍ ଅନୁଷ୍ଠିତ ହେଉଛି ଓ ୨୬ରେ ସରିବ। ପରୀକ୍ଷା ଦେବା ପାଇଁ ସାରା ଦେଶରୁ ୨୧,୭୫ ଲକ୍ଷ ବିଦ୍ୟାର୍ଥୀ ପଞ୍ଜୀକରଣ କରିଛନ୍ତି। ୩୩୧ କେନ୍ଦ୍ରରେ କମ୍ପ୍ୟୁଟର ବେସ୍ ଟେଷ୍ଟ୍(ସିବିଟି) ପଦ୍ଧତିରେ ପରୀକ୍ଷା ହେବ। ଓଡ଼ିଶାରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ଢେଙ୍କାନାଳ, ଅନୁଗୋଳ, ବାରିପଦା, ଜୟପୁର, ଯାଜପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ଜଗତସିଂହପୁର ଏବଂ ଭବାନୀପାଟଣାରେ ଅନ୍ଲାଇନ୍ ପରୀକ୍ଷା କେନ୍ଦ୍ର ହୋଇଛି। ପ୍ରଥମ ସିଟିଂ ସକାଳ ୯.୩୦ରୁ ମଧ୍ୟାହ୍ନ ୧୨.୩୦ ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୨.୩୦ରୁ ୫.୩୦ଟା ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ ହିନ୍ଦୀ ଓ ଇଂରାଜୀ ସହ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ। ଓଡ଼ିଆ ଭାଷାରେ ୪୭୧ ଜଣ ପରୀକ୍ଷା ଦେବାକୁ ସ୍ଥିର କରିଥିବା ଜଣାପଡ଼ିଛି।