ଆଜି ପୁରୀରେ ହେବ ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ

ଜୟନ୍ତୀଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ

ସତ୍ୟଶିଖା( ଭୁବନେଶ୍ୱର )୨୯.୦୯ . ୨୦୨୨:  ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କର ଗତକାଲି ପରଲୋକ ହୋଇଥିବା ବେଳେ ଆଜି ହେବ ଶେଷକୃତ୍ୟ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ୱରସ୍ଥିତ ବାସଭବନରେ ଶେଷଦର୍ଶନ ପରେ ଦିନ ୧୦ଟା ୩୦ରେ କଂଗ୍ରେସ ଭବନ ଯିବ ଜୟନ୍ତୀଙ୍କ ମରଶରୀର । ସେଠାରେ ଦଳୀୟ ନେତା ଓ କର୍ମୀ ଜୟନ୍ତୀଙ୍କୁ ଅନ୍ତିମ ବିଦାୟ ଜଣାଇବେ । ପରେ ଶେଷକୃତ୍ୟ ପାଇଁ ଶୋଭାଯାତ୍ରାରେ ପୁରୀ ବାହାରିବ ଜୟନ୍ତୀଙ୍କ ମରଶରୀର ।

ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କ ଦେହାନ୍ତ ହୋଇଥିଲା।  ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ୪ ଥର ସାଂସଦ ଥିଲେ  ଏଥିସହ ପ୍ରଥମ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଥିଲେ ଜୟନ୍ତୀ ।

୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତୀ ପଟ୍ଟନାୟକ  । ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ସହ ଜଣେ ଭଲ ବକ୍ତା ଥିଲେ ଜୟନ୍ତୀ। ଓଡ଼ିଶାରୁ ପ୍ରଥମ ମହିଳା ଭାବେ ଲୋକସଭାକୁ ୧୯୮୧ ମସିହାରେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ ।

ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ବହୁ ଆଗ ଧାଡ଼ିର ନେତା ଜୟନ୍ତୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜୟନ୍ତୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ଓଡ଼ିଶାର ସାରସ୍ୱତ ଜଗତ ତଥା ଜନଜୀବନକୁ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ଟୁଇଟ୍ କରିଛନ୍ତି ରାଜ୍ୟପାଳ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଟୁଇଟ୍ କରିଛନ୍ତି ଯେ, ଜୟନ୍ତୀଙ୍କର ବିୟୋଗ ସମାଜସେବା ଓ ରାଜନୀତିରେ ଜଣେ ବିଶିଷ୍ଟ ନାରୀନେତ୍ରୀଙ୍କ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟୁଇଟ୍ କରିଛନ୍ତି ଯେ, ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା, ବିଶିଷ୍ଟ ନାରୀନେତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା।  ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ୪ ଥର ସାଂସଦ ଥିଲେ । ଏଥିସହ ପ୍ରଥମ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଥିଲେ ଜୟନ୍ତୀ ।
Exit mobile version