ସତ୍ୟଶିଖା (ଭୁବନେଶ୍ୱର) ୨୫/୧୧/୨୦୨୦ : ସାଇବର ଠକଙ୍କ ଟାର୍ଗେଟ୍ରେ ଥିବା ଓଡ଼ିଶାକୁ ଆହୁରି ବିପଦ ଘନେଇବାରେ ଲାଗିଛି । ସାଇବର ଅପରାଧର ହବ୍ ପାଲଟିଥିବା ଝାଡ଼ଖଣ୍ଡର ଜମ୍ତରା ଶାଖା ଏବେ ରାଜଧାନୀ ଭୁବନେଶ୍ୱରରେ ଖୋଲିଛି । ଏଠାରେ ଜମ୍ତରା ଗ୍ୟାଙ୍ଗ ତିଆରି କରି ସାଇବର ଠକେଇର ଜାଲ ବିଛାଇବାକୁ ତିଆରି ହେଉଛି ବ୍ଲୁ ପ୍ରିଣ୍ଟ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବେକାର ଆଇଟି ଇଞ୍ଜିନିୟରମାନଙ୍କୁ ଫସାଇବାକୁ ଚାଲିଛି ବଡ଼ ଧରଣର ଡିଲ୍ । ବିପୁଳ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ସେମାନଙ୍କୁ ଗ୍ୟାଙ୍ଗ୍ରେ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏକ ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। କେତେ ଆଇଟି ଇଂଜିନିୟରଙ୍କୁ ନିଯୁକ୍ତି ମିଳିଛି, ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବହୁ ବେକାର ଆଇଟି ଇଞ୍ଜିନିୟର ଏହି ଗ୍ୟାଙ୍ଗ ଲିଙ୍କ୍ରେ ଥିବା ଜଣାପଡ଼ିଛି । ଯଦି ଏହି ଖବର ସତ ହୋଇଥାଏ, ଓଡ଼ିଶାରେ ସାଇବର ଅପରାଧକୁ ଆଉ ରୋକିବା ସମ୍ଭବ ହେବନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି । ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଖରେ ସର୍ବନିମ୍ନ ସାଇବର ଜ୍ଞାନ ନ ଥିବାରୁ ଏହି ଠକେଇରେ ବହୁ ଲୋକ ବଳି ପଡ଼ିଯିବେ ବୋଲି ଆଶଙ୍କା ଦେଖାଦେଇଛି ।
‘ଜମ୍ତରା ଗ୍ୟାଙ୍ଗ’ ଭୁବନେଶ୍ୱରରେ
