
ସତ୍ୟଶିଖା (ଭୁବନେଶ୍ୱର) ୨୫/୧୧/୨୦୨୦ : ସାଇବର ଠକଙ୍କ ଟାର୍ଗେଟ୍ରେ ଥିବା ଓଡ଼ିଶାକୁ ଆହୁରି ବିପଦ ଘନେଇବାରେ ଲାଗିଛି । ସାଇବର ଅପରାଧର ହବ୍ ପାଲଟିଥିବା ଝାଡ଼ଖଣ୍ଡର ଜମ୍ତରା ଶାଖା ଏବେ ରାଜଧାନୀ ଭୁବନେଶ୍ୱରରେ ଖୋଲିଛି । ଏଠାରେ ଜମ୍ତରା ଗ୍ୟାଙ୍ଗ ତିଆରି କରି ସାଇବର ଠକେଇର ଜାଲ ବିଛାଇବାକୁ ତିଆରି ହେଉଛି ବ୍ଲୁ ପ୍ରିଣ୍ଟ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବେକାର ଆଇଟି ଇଞ୍ଜିନିୟରମାନଙ୍କୁ ଫସାଇବାକୁ ଚାଲିଛି ବଡ଼ ଧରଣର ଡିଲ୍ । ବିପୁଳ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ସେମାନଙ୍କୁ ଗ୍ୟାଙ୍ଗ୍ରେ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏକ ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। କେତେ ଆଇଟି ଇଂଜିନିୟରଙ୍କୁ ନିଯୁକ୍ତି ମିଳିଛି, ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବହୁ ବେକାର ଆଇଟି ଇଞ୍ଜିନିୟର ଏହି ଗ୍ୟାଙ୍ଗ ଲିଙ୍କ୍ରେ ଥିବା ଜଣାପଡ଼ିଛି । ଯଦି ଏହି ଖବର ସତ ହୋଇଥାଏ, ଓଡ଼ିଶାରେ ସାଇବର ଅପରାଧକୁ ଆଉ ରୋକିବା ସମ୍ଭବ ହେବନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି । ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଖରେ ସର୍ବନିମ୍ନ ସାଇବର ଜ୍ଞାନ ନ ଥିବାରୁ ଏହି ଠକେଇରେ ବହୁ ଲୋକ ବଳି ପଡ଼ିଯିବେ ବୋଲି ଆଶଙ୍କା ଦେଖାଦେଇଛି ।ଉକ୍ତ ଖବରକାଗଜ ରିପୋର୍ଟ ଅନୁସାରେ, ଜମ୍ତରା ଗ୍ୟାଙ୍ଗ ଏବେ ଓଡ଼ିଶା ସମେତ ୫ଟି ରାଜ୍ୟକୁ ଟାର୍ଗେଟ୍ କରିଛନ୍ତି । ଓଡ଼ିଶାର ଭୁବନେଶ୍ୱର, ପଶ୍ଚିମବଙ୍ଗର କୋଲକାତା ଓ ଆସାନସୋଲ, ରାଜସ୍ଥାନର ଅଲଵାର ଓ ଭରତପୁର, ହରିୟାଣାର ମେଵାର ଓ ଗୁରୁଗାଓଁ ଏବଂ ଉତ୍ତରପ୍ରଦେଶର ମଥୁରା, ବାରାଣାସୀ ଓ ଜଲାଲପୁର ଏହି ଗ୍ୟାଙ୍ଗ୍ର ଟାର୍ଗେଟ୍ରେ ରହିଛି । ଏହି ସବୁ ସହରରେ ବେକାରଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେଣୁ ଏହି ସବୁ ରାଜ୍ୟର ସାଇବର ପୁଲିସକୁ ସତର୍କ ରହିବା ପାଇଁ କୁହାଯାଇଛି । ଜମ୍ତରାରେ ସାଇବର ଠକମାନେ ଶହ ଶହ କୋଟି ଟଙ୍କା ରୋଜଗାର କରି ସାରିଲେଣି । ତେଣୁ ସେମାନେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଅନ୍ୟ ରାଜ୍ୟରେ ନିଜର ଶାଖା ଖୋଲିବାକୁ ଚେଷ୍ଟା ଚଳାଇଛନ୍ତି । ଯେଉଁ ସହରମାନଙ୍କରେ ଇଣ୍ଟରନେଟ୍ର ବହୁଳ ବ୍ୟବହାର ହେଉଛି, ସେହିସବୁ ସ୍ଥାନକୁ ଜମ୍ତରା ଗ୍ୟାଙ୍ଗ୍ ଲକ୍ଷ୍ୟ ରଖୁଛି ।