ବିନା ଅନୁମତିରେ ଜଗତସିଂହପୁର ତିହଡ଼ା ଅପର ପ୍ରାଇମେରୀ ସ୍କୁଲ ଖୋଲା

ଜଗତସିଂହପୁର: କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ । କଟକଣାକୁ ବେଖାତିର କରି ସ୍କୁଲ ଖୋଲି ଦେଲେ ପ୍ରଧାନଶିକ୍ଷକ । ବିନା କୌଣସି ଅନୁମତିରେ ଜଗତସିଂହପୁର ଜିଲ୍ଲା ତିହଡ଼ା ଉପର ପ୍ରାଇମେରୀ ସ୍କୁଲ ଆଜି ଖୋଲା ଯାଇଥିଲା । ଗୋଟିଏ ହଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବସାଯାଇ ପାଠପଢା ଯାଉଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୂରତା ରହିନଥିବା ଦେଖିବାକୁ ମିଳିଥିଲା । କେବଳ ମାସ୍କ ଲଗାଇ ପିଲାମାନେ ଗୋଟିଏ ହଲରେ ବସି ପଢୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । କରୋନାର ତୃତୀୟ ଲହରକୁ ନେଇ ସମସ୍ତ ଚିନ୍ତିତ ଥିବାବେଳେ ଜଗସିଂହପୁର ଜିଲ୍ଲାର ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ କୌଣସି ନିର୍ଦ୍ଦେଶାନାମା ଜାରି ହୋଇନଥିବା ବେଳେ କିଭଳି ବିଦ୍ୟାଳୟ ଖୋଲା ଯାଇଛି ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ଅନ୍ୟପଟେ ଏବାବଦରେ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ପ୍ରଧାନଶିକ୍ଷକଙ୍କ ଅନୁମତି କ୍ରମେ ସ୍କୁଲ ଖୋଲାଯାଇଥିବା କହିଛନ୍ତି ।

Exit mobile version