ନ୍ୟୁଜ୍ରାଜ୍ୟ

ଜଗତସିଂହପୁରରେ ୫ ଦିନ ପାଇଁ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ

ସତ୍ୟଶିଖା (ଭୁବନେଶ୍ୱର) ୨୩.୧୨.୨୦୨୧: ଆଗକୁ ଆସୁଛି ଖ୍ରୀଷ୍ଟମାସ। ତା’ପରେ ଆସିବ ନୂଆବର୍ଷ। ଏଥିପାଇଁ ଧର୍ମାନୁଷ୍ଠାନ ଗୁଡ଼ିକରେ ଲୋକଙ୍କ ଭିଡ଼ ହେବାର ସମ୍ଭାନା ରହିଛି। ଏହାକୁ ଦୃଷ୍ଟିରେ ରଖି କରୋନାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ୫ ଦିନ ପାଇଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ (ମନ୍ଦିର, ଚର୍ଚ୍ଚ, ମସଜିଦ, ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଓ ପୂଜାସ୍ଥଳୀ) ଗୁଡ଼ିକରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ଜିଲ୍ଲାପାଳ ପାରୁଲ ପଟୱାରୀ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି।

ଖ୍ରୀଷ୍ଟମାସ ଅବସରରେ ଡିସେମ୍ବର ୨୫ ଓ ୨୬ ତାରିଖରେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ। ସେହିପରି ବର୍ଷର ଶେଷ ଦିନ ଅର୍ଥାତ୍ ଡିସେମ୍ବର ୩୧ ତାରିଖରେ ମଧ୍ୟରେ ସମସ୍ତ ଧର୍ମାନୁଷ୍ଟାନରେ ଏହି କଟକଣା ଲାଗୁ ହେବ। ଇଂରାଜୀ ନବବର୍ଷ ତଥା ଜାନୁଆରୀ ୧ରେ ବି ଧର୍ମାନୁଷ୍ଠାନ ଗୁଡ଼ିକରେ ସାଧାରଣ ଦର୍ଶନ ବନ୍ଦ ରହିବ। ନୂଆ ବର୍ଷ ପରଦିନ ବି ଏହି କଟକଣା ବଳବତ୍ତର ରହିବ। ତେବେ ଏହି ସମସ୍ତ ଧର୍ମାନୁଷ୍ଠାନରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଜାରି ରହିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଏବେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଦେଶବିଦେଶରେ ମାଡ଼ି ଚାଲିଥିବା ବେଳେ ଓଡ଼ିଶାରେ ବି ପ୍ରବେଶ କରି ସାରିଛି। ଏଯାବତ୍ ରାଜ୍ୟରେ କରୋନା ଭାଇରାସର ଓମିକ୍ରନ୍ ଭ୍ୟାରିଆଣ୍ଟରେ ୪ ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳିକା ଭଉଣୀ ରହିଛନ୍ତି। ଏମାନେ ସମସ୍ତେ ନିକଟରେ ବିଦେଶରୁ ଫେରିଥିଲେ।

Show More
Back to top button