ନ୍ୟୁଜ୍ରାଜ୍ୟ

‘ମୋତେ ମାରି ସାରିଲଣି, ଆଉ ଡରାଅନି’

ସତ୍ୟଶିଖା( କଟକ )୦୭.୦୬. ୨୦୨୨  : “ମରିବାକୁ ଆଉ ଡରାଅନି । ତୁମେ ମୋତେ ମାରି ସାରିଲଣି।  ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି। ହେଲେ ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି।  ମୁଁ ବି ବଞ୍ଚିବାକୁ ଚାହେଁ ।” ସୋଶାଲ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଛାଡ଼ିଛନ୍ତି ଏପରି ଆଉ ଏକ ଭିଡିଓ । ଆଜି ସକାଳୁ ସକାଳୁ ୟୁଟ୍ୟୁବ୍‌ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍‌ରେ ଅପ୍‌ଲୋଡ୍‌ ହୋଇଛି ଏହି ଭିଡିଓ।

ଗତକାଲି ଏକ ଭିଡିଓରେ ମିଥ୍ୟା ଖବର ଛାପିବା ତଥା ଅପଲୋଡ୍ କରୁଥିବା ନ୍ୟୁଜ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ଅନୁଭବ ଟାର୍ଗେଟ କରୁଥିବା ବେଳେ ଆଜି କିନ୍ତୁ ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ସୋଶାଲ ମିଡିଆରେ ପରସ୍ପରକୁ ଆକ୍ଷେପ କରି କିଛି ନ କହିବାକୁ ହାଇକୋର୍ଟ ଉଭୟ ପତିପତ୍ନୀଙ୍କୁ ତାଗିଦ କରିଥିବା ବେଳେ ଅନୁଭବ ଆଉ ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ଟାର୍ଗେଟ କରି ପାରୁ ନାହାନ୍ତି। ତେଣୁ କେତେବେଳେ କାହାକୁ ଚେତାବନୀ ଦେଉଛନ୍ତି ତ କେତେବେଳେ କେଉଁ ଓଡ଼ିଆ ଅଭିନେତ୍ରୀଙ୍କୁ ଦେଖାଇ କହୁଛନ୍ତି। ହେଲେ ଆଜିର ଭିଡିଓରେ ସାଂସଦ ଅନୁଭବ ମହାନ୍ତି ଦୀର୍ଘ ଦିନ ହେଲା ନିଜ ମନ ତଳେ ଚାପି ହୋଇ ରହିଥିବା କୋହକୁ ନିଜ ଫ୍ୟାନ୍ସଙ୍କ ସମ୍ମୁଖରେ ବ୍ୟକ୍ତ କରିଛନ୍ତି।

ଭିଡିଓରେ ଅନୁଭବ ନିଜ ଶେଷ ଇଚ୍ଛା କହିବା ସହ ଫ୍ୟାନ୍ସ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ କିଛି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି।’   ଭିଡିଓରେ ଅନୁଭବ ଏପରି ଭାବେ ନିଜ ଅସହାୟତା ପ୍ରକାଶ କରିଥିଲେ ମଧ୍ୟ କାହାରି ନାଁ ନେଇ ନାହାନ୍ତି।

ଅନୁଭବ ଆହୁରି କହିଛନ୍ତି, ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି। ମୁଁ ଆଶା କରୁଛି ମୋର ଏହି ଶେଷ ଇଚ୍ଛା ପୁରଣ ହେବ। ଏହାପରେ ମୁଁ ଆଉ କିଛି କହି ପାରିବିନି। କାରଣ ମୋ ପାଟି ସିଲ୍‌ ହୋଇ ଯାଇଛି ।   ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ଦିନେ ନା ଦିନେ ସୂର୍ଯ୍ୟୋଦୟ ହେବ।  ’

ବର୍ଷାଙ୍କ ବିରୋଧରେ ଅନୁଭବ ବ୍ୟାକ୍‌ ଟୁ ବ୍ୟାକ୍‌ ୩ଟି ଭିଡ଼ିଓ ସୋଶାଲ ମିଡ଼ିଆରେ ଛାଡ଼ିଥିଲେ। ଏହାକୁ ନେଇ ବର୍ଷା ସାଇବର ଥାନାରେ ଅଭିଯୋଗ କରିବା ସହ ମାନହାନୀ ହେଉଥିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ ଦୁଇ ଜଣଙ୍କୁ ସୋଶାଲ ମିଡିଆରେ ଟିପ୍ପଣୀ ନ କରିବାକୁ ତାଗିଦ୍ କରିଥିଲେ । କୌଣସି ବି ସ୍ଥାନରେ କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଥିଲେ।  ଏହା ପରଠୁ ଅନୁଭବ ଭିଡିଓ ପୋଷ୍ଟ କରୁଥିଲେ ମଧ୍ୟ ଆଉ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସିଧାସଳଖ ଟାର୍ଗେଟ କରୁ ନାହାନ୍ତି କିମ୍ବା ତାଙ୍କ ନାଁ ଧରୁ ନାହାନ୍ତି।

ସୂଚନା ଥାଉକି, ଓଲିଉଡର ସୁପରହିଟ ଯୋଡ଼ି  ଅନୁଭବ, ବର୍ଷାଙ୍କ ବିଚ୍ଛେଦ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ହେଲେ କୋର୍ଟ ବାହାରେ ଉଭୟଙ୍କ ଦାମ୍ପତ୍ୟ କଳହ ଥମିବା ନାଁ ଧରୁନି।

Show More
Back to top button