

ସତ୍ୟଶିଖା( ନୂଆଦିଲ୍ଲୀ)୧୩.୦୪.୨୦୨୨ : ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ଏବଂ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ର ଉଭୟ ପାର୍ଶ୍ବରେ ଦୁଇ ଦେଶର ବହୁ ସଂଖ୍ୟାରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ ହୋଇଥିବାବେଳେ ଅପ୍ରତ୍ୟାଶିତ ଭାବରେ ଚୀନର ପିପୁଲ୍ସ ଲିବିରେସନ ଆର୍ମି (ପିଏଲଏ) ପକ୍ଷରୁ ନେପାଳ ଓ ତିବତ ସୀମାନ୍ତରେ ସମରାଭ୍ୟାସ ଆରମ୍ଭ ହୋଇଛି। ଚୀନର ଲଢୁଆ ବିମାନଗୁଡିକରୁ ଆକାଶଛତା ବାହିନୀ ଅବତରଣ ଅଭ୍ୟାସ କରିବା ସହିତ ସେଠାରେ ଚୀନ ନିଜର ବହୁ ସଂଖ୍ୟକ ସୈନ୍ୟ ଠୁଳ କରିବା ଆରମ୍ଭ କରିଛି। ଏପରିକି ଏହା ନିଜ ଦେଶରେ ଡାକ୍ତରଖାନାଗୁଡିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିବା ଏବଂ ମାତ୍ର ୩୦ ମିନିଟ ମଧ୍ୟରେ ବଙ୍କର ନିର୍ମାଣ କୌଶଳ ପ୍ରଦର୍ଶନ କରିବା, ଭାରତର ଚିନ୍ତା ବଢ଼ାଇ ଦେଇଛି। ଭାରତ ମଧ୍ୟ ଉକ୍ତ ଅଞ୍ଚଳକୁ ନିଜର ଅଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ପଠାଇବା ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଏକାଧିକ ଥର ଆଲୋଚନା ଅନୁଷ୍ଠିତ ହୋଇଥିଲେ ମଧ୍ୟ ସେଥିରୁ ନିଷ୍କର୍ସ ବାହାରି ପାରିନାର୍ହି।