ସତ୍ୟଶିଖା(ନୂଆଦିଲ୍ଲୀ) ୦୯/୧୨/୨୦୨୦ : ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ସଉକ ନିଆରା । ଏହି ନିଆରା ସଉକ ବି ସେମାନଙ୍କୁ ଭିନ୍ନ ଏକ ପରିଚୟ ଦେଇଥାଏ । କିଛି ଲୋକ ନିଜର ଏହି ନିଆରା ସଉକ ବଳରେ ଟଙ୍କା ରୋଜଗାର କରି ଲକ୍ଷପତି ମଧ୍ୟ ହୋଇଥାନ୍ତି । ଏମିତି ଜଣେ ଯୁବକ ହେଲେ ୨୫ ବର୍ଷ ବୟସ୍କ ମହମ୍ମଦ ହାମ୍ଦି ବୋଷ୍ତା । ମିଶରରେ ରହୁଥିବା ମହମ୍ମଦ ବିଛାର ବିଷ ବିକନ୍ତି । ତାଙ୍କର ଏହାହିଁ ଅଜବ ସଉକ ଦିନେ ତାଙ୍କୁ ଲକ୍ଷପତି କରିଦେବ ତାହା ସେ ନିଜେ ବି କେବେ ଭାବିନଥିଲେ । ଏକ ଗ୍ରାମ ବିଷ ପାଇଁ ତାଙ୍କୁ ପାଖାପାଖି ୭୩ ଲକ୍ଷ ଟଙ୍କା ମିଳିଥାଏ ।
ମିଶର ମରୁଭୂମି ଓ ତଟବର୍ତ୍ତୀ ଅଞ୍ଚଳରେ ବିଛା ଧରିବା ସଉକ ଯୋଗୁଁ ମହମ୍ମଦ ଆର୍କିଓଲୋଜିରେ ସ୍ନାତକ ପଢା ଛାଡିଦେଇଥିଲେ । ବିଛା ଧରି ସେ ତାଙ୍କର ବିଷ ବାହାର କରନ୍ତି । ଏହି ବିଷ ଔଷଧ ତିଆରି ପାଇଁ ବ୍ୟବହୃତ ହୁଏ । ୨୫ ବର୍ଷ ବୟସରେ ମହମ୍ମଦ ‘କାୟରୋ ଭେନୋମ କମ୍ପାନୀ’ର ମାଲିକ । ଏହା ଏମିତି ଏକ ପ୍ରକଳ୍ପ ଯେଉଁଥିରେ ୮୦ ହଜାରରୁ ଅଧିକ ପ୍ରଜାତିର ବିଛା ଓ ସାପ ରଖାଯାଇଥାଏ । ଏହି ସାପ ଓ ବିଛାର ବିଷ ବାହାର କରି ଔଷଧ ତିଆରି କରୁଥିବା କମ୍ପାନୀକୁ ବିକ୍ରି କରାଯାଏ । ୟୁବିହି ଲାଇଟ ବା ଅଲ୍ଟ୍ରାଭାଓଲେଟ ଲାଇଟ ସାହାଯ୍ୟରେ ବିଛାର ବିଷ ବାହାର କରିବାକୁ ହାଲୁକା ଇଲେକ୍ଟ୍ରିକ ଶକ ଦିଆଯାଇଥାଏ । କରେଣ୍ଟ ଲାଗିବା ପରେ ବିଛାର ବିଷ ବାହାରି ଯାଇଥାଏ । ଏହି ବିଷକୁ ସଂଗ୍ରହ କରି ଷ୍ଟୋର କରାଯାଇଥାଏ ।
ବିଷାକ୍ତ ଜୀବ କାମୁଡିବା ଦ୍ୱାରା ମଣିଷ ଶରୀରରେ ଥିବା କୋଷ ନଷ୍ଟ ହୋଇଯାଇଥାଏ । ଯାହାଫଳରେ ହ୍ୟାମରେଜ ହେବାର ଆଶଙ୍କା ରହିଥାଏ । ଏହି ବିଷ ଏତେ ବିଷାକ୍ତ ହୋଇଥାଏ ଯେ ମାତ୍ରା କିଛି କ୍ଷଣରେ ମଣିଷର ମୃତ୍ୟୁ ହୋଇଯାଇଥାଏ ।