ଖୁଚୁରା ବଦଳରେ ଦୋକାନୀ ଦେଉଛନ୍ତି କି ଚକଲେଟ୍ ? କଏନ ନେବାକୁ ଅରାଜି ହେଉଛନ୍ତି କି ଗାଡିବାଲା ? ସରକାର ଜାରି କଲେ ଟୋଲ ଫ୍ରି ନମ୍ବର…କଲ୍ କିମ୍ବା ଏସଏମଏସରେ ବି ଜଣାଇପାରିବେ ସମସ୍ୟା…ଗ୍ରାହକଙ୍କ ଗୋଟିଏ ଅଭିଯୋଗରେ ହେବ କାର୍ଯ୍ୟାନୁଷ୍ଠାନ

ସତ୍ୟଶିଖା ୪.୦୯.୨୦୨୦: ବେଳେ ବେଳେ ଏଭଳି ହୋଇଥାଏ କି ଆପଣ ଜିନିଷ କିଣିବାକୁ କୌଣସି ଦୋକାନ ଯାଇଛନ୍ତି ଏବଂ ଦୋକାନ ମାଲିକ ଖୁଚୁରା ନାହିଁ କହି ହାତରେ ଆପଣଙ୍କ ହାତରେ ଚକଲେଟ୍ କିମ୍ବା ଅନ୍ୟ କିଛି ଜିନିଷ ଧରାଇ ଦେଉଛନ୍ତି ଆଉ ଅନିଚ୍ଛା ସତ୍ୱେ ବି ଆପଣଙ୍କୁ ତାକୁ ନେବାକୁ ପଡିଥାଏ । କେବଳ ଦୋକାନ ନୁହେଁ ସମାନ ସମସ୍ୟା ବସ କିମ୍ବା ଅନ୍ୟ କୌଣସି ଗାଡି ମୋଟରରେ ଗଲା ସମୟରେ ବି ଦେଖିବାକୁ ମିଳିଥାଏ । ସେହିଭଳି କିଛି ଦୋକାନୀ ତଥା ଗାଡି ଚାଳକ ଅଚଳ କହି ଖୁଚୁରା ପଇସା ନେବାକୁ ମଧ୍ୟ ରୋକ୍ ଠୋକ୍ ମନା କରିଦେଇଥାନ୍ତି । ଏବେ କିନ୍ତୁ ଆଉ ଦୋକାନୀଙ୍କ ମନମାନି ଚଳିବ ନାହିଁ । ଅଚଳ ଟଙ୍କା କହି କିମ୍ବା ଖୁଚୁରା ନାହିଁ ବୋଲି କହି ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ହଇରାଣ ହରକତ କରନ୍ତି ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକଥା ଆମେ କହୁନାହୁଁ ବରଂ ଗତ ଜୁଲାଇ ୨୦ରେ ଦେଶବ୍ୟାପୀ ଲାଗୁ ହୋଇଥିବା ନୂଆ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ-୨୦୧୯ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।

ସରକାର ଜାରି କଲେ ଟୋଲ ଫ୍ରି ନମ୍ବର l ଦେଶରେ ନୂଆ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ-୨୦୧୯ ଲାଗୁ ହେବା ପରେ ଏଣିକି ଖୁଚୁରା ଟଙ୍କା ବଦଳରେ ଅନ୍ୟ କୌଣସି ଅନାବଶ୍ୟକ ଜିନିଷ ଦେଲେ କନଜ୍ୟୁମର ଫୋରମର ଦ୍ୱାରସ୍ଥ ହୋଇପାରିବେ ଗ୍ରାହକ ଏବଂ ଗ୍ରାହକଙ୍କ ଅଭିଯୋଗର ମାସକ ଭିତରେ ହିଁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ଏଭଳି ସମସ୍ୟା ତଥା ଅଭିଯୋଗ ଆପଣ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ୱେବସସାଇଟ୍ https://jagograhakjago.gov.in/, https://consumerhelpline.gov.inର ଟୋଲ ଫ୍ରି ନମ୍ବର ୧୮୦୦-୧୧-୪୦୦୦ ଏବଂ ୧୪୪୦୪ ନମ୍ବରରେ କଲ କରି ଜଣାଇପାରିବେ । ଏଥି ସହିତ ହିଁ ଆପଣ ମୋବାଇଲ ନମ୍ବର ୮୧୩୦୦୦୯୮୦୯ରେ ଏସଏମଏସ ଜରିଆରେ ମଧ୍ୟ ନିଜ ଅଭିଯୋଗ ସଂକ୍ରାନ୍ତର ଅବଗତ କରିପାରିବେ ।

ସେହିଭଳି ବସରେ ଯାତ୍ରା କରିବା ସମୟରେ ନିୟମ ରହିଛି ଯେ ଯଦି କଣ୍ଡକ୍ଟର ପାଖରେ ଖଚୁରା ଟଙ୍କା ନାହିଁ ତେବେ ସେ ଯାତ୍ରୀଙ୍କର କାଟିଥିବା ଟିକେଟ୍ ପଛରେ ବାକି ଟଙ୍କା ଲେଖିଦେଇଥାନ୍ତି । ଯାହାକୁ ଯାତ୍ରୀର ଗନ୍ତବ୍ୟ ସ୍ଥଳରେ ପହଂଚିବା ପୂର୍ବରୁ ତାକୁ ଫେରାଇବାକୁ ପଡିଥାଏ । ମାତ୍ର ଅନେକ ସମୟରେ ଖୁଚୁରା ନାହିଁ ବୋଲି ବାହାନା ଦେଖାଇ ଗାଡିବାଲା ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ନକରି ଓଲଟା ଯୁକ୍ତିତର୍କ କରିଥାନ୍ତି ଆଉ ଟଙ୍କା ନଦେଇ ଚାଲିଯାଆନ୍ତି । ତେଣୁ ଯଦି ଆପଣଙ୍କ ସହ ଏଭଳି କୌଣସି ଅସୁବିଧା ହୁଏ ତେବେ ଆଦୌ ବ୍ୟସ୍ତ ନହୋଇ ସରକାରଙ୍କ ପ୍ରଦତ କୌଣସି ବି ନମ୍ବରରେ କଲ କିମ୍ବା ଏସଏମଏସ କରି ଏସଂକ୍ରାନ୍ତରେ ଜଣାଇପାରିବେ ଆଉ ଯଦି ଗାଡିବାଲା କିମ୍ବା ଦୋକାନୀ ଏଥିରେ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଜରିମାନା ସାଙ୍ଗକୁ ଜେଲ ଦଣ୍ଡାଦେଶ ବି ହୋଇପାରନ୍ତି ।

 

Exit mobile version