ସତ୍ୟଶିଖା (ଦୁବାଇ) ୩/୧୧/୨୦୨୦ : ଆଜି ଚଳିତ ଆଇପିଏଲ୍-୧୩ର ଲିଗ୍ ପର୍ଯ୍ୟାୟ ମୁକାବିଲା ଶେଷ ହେବ । ଶେଷ ଲିଗ୍ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍ ହାଇଦ୍ରାବାଦର ପ୍ଲେ-ଅଫ୍ ଭାଗ୍ୟ ନିର୍ଦ୍ଧାରଣ କରିବ । ମୁମ୍ବାଇକୁ ହରାଇଲେ ଦଳ ପ୍ଲେ-ଅଫ୍ରେ ପ୍ରବେଶ କରିବ, ପରାଜିତ ହେଲେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ । ଏହି ମୁକାବିଲା ସହ ପ୍ଲେ-ଅଫ୍ ଚୂଡ଼ାନ୍ତ ହେବ। ଅନ୍ୟ ପଟରେ ପ୍ଲେ-ଅଫ୍ ଓ ଶୀର୍ଷ ସ୍ଥାନ ପକ୍କା କରିସାରିଥିବା ମୁମ୍ବାଇ ଆଧିପତ୍ୟ ଲକ୍ଷ୍ୟରେ ମଇଦାନ୍କୁ ଓହ୍ଲାଇବ ।
ମୁମ୍ବାଇ-ହାଇଦ୍ରାବାଦ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିବ । ଏହି ମ୍ୟାଚ୍ ଜରିଆରେ ପ୍ଲେ-ଅଫ୍ର ଶେଷ ୨ଟି ଦଳ ଚୂଡ଼ାନ୍ତ ହେବ । ଏଥିରେ ସନ୍ରାଇଜର୍ସ ସମେତ ଦିଲ୍ଲୀ କ୍ୟାପିଟାଲ୍ସ-ରୟାଲ୍ ଚ୍ୟାଲେଞ୍ଜର୍ସ ମ୍ୟାଚ୍ (୫୫ତମ ଲିଗ୍)ରେ ପରାଜିତ ଦଳ ଏବଂ କୋଲକାତା ନାଇଟ୍ ରାଇଡର୍ସର ପ୍ଲେ-ଅଫ୍ ଭାଗ୍ୟ ନିର୍ଦ୍ଧାରଣ ହେବ । କୋଲକାତା ୧୪ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ହାଇଦ୍ରାବାଦ୍ ୧୩ମ୍ୟାଚ୍ରୁ ୧୨ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ମୁମ୍ବାଇକୁ ହରାଇଲେ ପଏଣ୍ଟ ସଂଖ୍ୟା ୧୪ରେ ପହଞ୍ଚିବ। ଉନ୍ନତ ନେଟ୍ ରନ୍ରେଟ୍ ବଳରେ ହାଇଦ୍ରାବାଦ ପ୍ଲେ-ଅଫ୍ରେ ପ୍ରବେଶ କରିବ । ଅନ୍ୟ ପଟରେ ଶେଷ ସ୍ଥାନ ପାଇଁ ୫୫ତମ ଲିଗ୍ ମ୍ୟାଚ୍ର ପରାଜିତ ଦଳ (୧୪ପଏଣ୍ଟ) ଓ କୋଲକାତାର ରନ୍ରେଟ୍ ଦେଖାଯିବ । ଯେଉଁ ଦଳର ରନ୍ରେଟ୍ ଉନ୍ନତ ଥିବ, ସେହି ଦଳ ପ୍ଲେ-ଅଫ୍ରେ ପହଞ୍ଚିିବ । ଯଦି ହାଇଦ୍ରାବାଦ ଶେଷ ଲିଗ୍ ହାରିଯାଏ, ତା’ହେଲେ ୫୫ତମ ଲିଗ୍ ମ୍ୟାଚ୍ର ପରାଜିତ ଦଳ ଓ କୋଲକାତା ପ୍ଲେ-ଅଫ୍ରେ ପ୍ରବେଶ କରିବେ।