ଖେଳମନୋରଞ୍ଜନ

IPL-2020 : ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ୍, ମୁମ୍ବାଇକୁ ଭେଟିବ ଦିଲ୍ଲୀ

ସତ୍ୟଶିଖା (ନୂଆଦିଲ୍ଲୀ) ୫/୧୧/୨୦୨୦ : ଆଜି ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚ୍ । ମୁମ୍ବାଇ ଇଣ୍ଡିଆନ୍ ସ ଓ ଦିଲ୍ଲୀ କ୍ୟାପିଟାଲ୍ ସ ମଧ୍ୟରେ ଖେଳାଯିବ ମ୍ୟାଚ । ଉଭୟ ଦଳ ବିଜୟ ସହ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବା ଲକ୍ଷ୍ୟ ରଖିଛନ୍ତି । ପଏଣ୍ଟ ଟେବୁଲର ପ୍ରଥମ ୨ଟି ସ୍ଥାନରେ ଥିବା ଏହି ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ଚିତ୍ତାକର୍ଷକ ହେବା ନେଇ ଅନୁମାନ କରାଯାଉଛି । ରୋହିତ ଶର୍ମା ନେତୃତ୍ବାଧିନ ମୁମ୍ବାଇ ଇଣ୍ଡିଆନ୍ ସ ୧୪ଟି ଲିଗ୍  ମ୍ୟାଚରୁ ୯ଟି ବିଜୟ ଓ ୫ଟି ପରାଜୟ ସହ ୧୮ ପଏଣ୍ଟ ପାଇ ଶୀର୍ଷରେ ରହିଛି । ତେବେ ଶେଷ ମ୍ୟାଚ୍ ରେ ସନ୍ ରାଇଜର୍ସ ନିକଟରୁ ଚଳିତ ସିଜିନ୍ ରେ ମୁମ୍ବଇ ତା’ର ସବୁଠାରୁ ବଡ଼ ପରାଜୟ ଭୋଗିଛି ।  ଚଳିତ ସଂସ୍କରଣରେ ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ଦୁଇଥର ମୁହାଁମୁହିଁ ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ ସ ୨ଟି ଯାକ ମ୍ୟାଚ୍ ଜିତିଥିଲା । ତେଣୁ ଆଜିର ମ୍ୟାଚ୍ ରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।ଉଭୟ ଦଳ ପାଇଁ ଆଉ ଏକ ସୁଯୋଗ ରହିଛି । ତଥାପି ଏତେ ସଂଘର୍ଷ ନକରି ସିଧା ଫାଇନାଲ୍‌ରେ ପହଞ୍ଚିବା ପାଇଁ ଉଭୟ ଦଳ ଗୁରୁତ୍ୱ ଦେବେ । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ । ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ଲିଗ୍‌ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଥିଲା । ସନରାଇଜର୍ସ ୧୦ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଥିଲା । ଅବଶ୍ୟ ଏହି ମ୍ୟାଚ୍‌ରେ ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିନଥିଲେ । ପ୍ଲେ ଅଫ୍‌ ମୁକାବିଲା ପାଇଁ ସେମାନଙ୍କୁ ବିଶ୍ରାମ ଦିଆଯାଇଥିଲା । ଆଜି ସେମାନେ ଏକାଦଶକୁ ଫେରିବେ ।ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବଭଳି ସନ୍ତୁଳିତ ଓ ଶକ୍ତିଶାଳୀ ବିବେଚିତ ହେବ । ରୋହିତ ଶର୍ମା ଫିଟ୍‌ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ତାଙ୍କୁ ନେଇ ବିବାଦ ଲାଗି ରହିଛି । ସନରାଇଜର୍ସ ବିପକ୍ଷରେ ସେ ୪ରନ୍‌ କରିଥିଲେ । ହେଲେ ବାଉଣ୍ଡାରୀ ଅଞ୍ଚଳରେ ଫିଲ୍ଡିଂ କରି ସେ ସମ୍ପୂର୍ଣ୍ଣ ଫିଟ୍‌ ଥିବା ପ୍ରମାଣିତ କରିଥିଲେ । ରୋହିତଙ୍କ ଉପସ୍ଥିତି ଦଳର ମନୋବଳ ଦ୍ୱିଗୁଣିତ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଲିଗ୍‌ ପର୍ଯ୍ୟାୟ ବେଶ୍‌ ନାଟକୀୟ ଥିଲା । ପ୍ରଥମ ୯ଟି ମ୍ୟାଚ୍‌ରୁ ଦିଲ୍ଲୀ କ୍ୟାପିଟାଲ୍ସ ୭ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ପରାଜିତ ହୋଇଥିଲା । ଏପରିକି ପ୍ଲେ ଅଫ୍‌ରେ ପ୍ରବେଶ କରିବା ନେଇ ଆଶଙ୍ଗା ଦେଖା ଦେଇଥିଲା । ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ବିଜୟ ହାସଲ କରି ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା ।ଆଜିର ବିଜୟ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ତଥାପି ଓପନିଂ ବ୍ୟାଟ୍ସମ୍ୟାନ୍‌ ପୃଥ୍ୱୀ ଶ’ଙ୍କ ଫର୍ମ ଦଳକୁ ଚିନ୍ତାରେ ପକାଇଛି । ଅଜିଙ୍କ୍ୟ ରାହାଣେ ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସଂକେତ । ଅନ୍ୟ ପଟରେ ଦେଖିବାକୁ ଗଲେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ରହିଛି । ଆଜି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବ ୨ ମ୍ୟାଚ୍‌ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

Show More
Back to top button