ଖେଳଦେଶ

ଆଜିଠୁ ଆଇପିଏଲ୍‌-୧୪: ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବଇ-ବାଙ୍ଗାଲୋର

ସତ୍ୟଶିଖା( ଚେନ୍ନଇ) ୦୯.୦୪.୨୦୨୧:  ଦେଶରେ ମହାମାରୀ କରୋନାର ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବାତାବରଣର ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏସବୁକୁ ବଳିଯାଇଛି କ୍ରିକେଟ୍‌ ଫିଭର। ଶୁକ୍ରବାରଠାରୁ ବିଶ୍ୱ ର ସବୁଠାରୁ ଧନଶାଳୀ ପେସାଦାର ଟ୍ୱେ ଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଆରମ୍ଭ ହେଉଛି। ଗତବର୍ଷ ଏହା ୟୁଏଇରେ ଖେଳା ଯାଇଥିବା ବେଳେ ଚଳିତବର୍ଷ ଏହା ଭାରତକୁ ଫେରିଛି। ଆଇପିଏଲ୍‌ର ଏହି ୧୪ଶ ସଂସ୍କରଣରେ ଗତବର୍ଷ ପରି ୮ଟି ଦଳ ଖେଳିବେ। ୨ ମାସ ଧରି ଏହା ମେ’ ୩୦ ପର୍ୟ୍ୟନ୍ତ ଚାଲିବ। ୬ଟି ସହର- ଦିଲ୍ଲୀ, ଚେନ୍ନଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କଲକାତା ଓ ମୁମ୍ବଇରେ ଟୁର୍ଣ୍ଣାମେଣ୍ଟର ସମସ୍ତ ୬୦ଟି ମ୍ୟାଚ୍‌ ଖେଳାଯିବ।

ମାତ୍ର ୫ ମାସ ତଳେ ମୁମ୍ବଇ ଇଣ୍ଡିଆନ୍‌ସ ୫ମ ଟାଇଟଲ ଜିତିଥିଲା। ଶୁକ୍ରବାର ଚେନ୍ନଇରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍‌-୧୪ର ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ। ରୋହିତ ଶର୍ମାଙ୍କ ମୁମ୍ବଇ ରେକର୍ଡ ୫ ଥର ଆଇପିଏଲ୍‌ ଜିତିଥିବା ବେଳେ ଆର୍‌ସିବି ଆଦୌ ଏହି ଟାଇଟଲ ଜିତିନାହିଁ। ଅଧିନାୟକ ଭାବେ ରୋହିତ ୧୧୬ ମ୍ୟାଚ୍‌ରୁ ୬୮ଟି ଜିତିଥିବା ବେଳେ କୋହଲି ୧୨୫ ମ୍ୟାଚ୍‌ରୁ ୫୫ଟି ଜିତିଛନ୍ତି। ବିଶ୍ୱର ସବୁଠାରୁ ବଡ଼ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ୩ଟି ପ୍ଲେଅଫ୍ ମ୍ୟାଚ୍‌ ସହ ମେ’ ୩୦ରେ ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯିବ। ୮ଟିଯାକ ଫ୍ରାଞ୍ଚାଇଜି ସେମାନଙ୍କ ୧୪ଟିଯାକ ଲିଗ୍ ମ୍ୟାଚ୍‌ ୪ଟି ନିରପେକ୍ଷ ସହରରେ ଖେଳିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦଳମାନଙ୍କ ଯିବାଆସିବାକୁ ସୀମିତ ରଖିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ୩୬ଟି ଲିଗ୍‌ ମ୍ୟାଚ୍‌ ଚେନ୍ନଇ, ଅହମ୍ମଦାବାଦ, ମୁମ୍ବଇ ଓ ଦିଲ୍ଲୀରେ ଖେଳାଯିବ। ଶେଷ ୨୦ଟି ଲିଗ୍ ମ୍ୟାଚ୍‌ ମେ’ରେ ବେଙ୍ଗାଲୁରୁ ଓ କଲକାତାରେ ଖେଳାଯିବ। ଅପରାହ୍‌ଣ ମ୍ୟାଚ୍ ୩.୩୦ରୁ ଏବଂ ସନ୍ଧ୍ୟା ମ୍ୟାଚ୍‌ ୭.୩୦ରୁ ଆରମ୍ଭହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ମ୍ୟାଚ୍‌ ଖାଲି ଷ୍ଟାଡିୟମ୍‌ରେ ଖେଳାଯିବ। ସମସ୍ତ ଦଳ ଏବେ ଜୈବ ନିରାପତ୍ତା ବଳୟରେ ରହିଛନ୍ତି। ଦେଶରେ ଦୈନିକ ୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଟୁର୍ଣ୍ଣାମେଣ୍ଟକୁ ସୁରୁଖୁରୁରେ ସାରିବା ବିସିସିଆଇ ପାଇଁ ବଡ଼ ଆହ୍ବାନ ହେବ।

Show More
Back to top button