ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୧୨/୨୦୨୦ : ତୁରନ୍ତ ଓ ଜଟିଳ ପ୍ରକ୍ରିୟା ମୁକ୍ତ ଋଣ ଦେବା ପାଇଁ ପ୍ରତିଶ୍ରୁତି ଦେଉଥିବା କେତେକ ଅଣସ୍ୱୀକୃତ ଜିଡିଟାଲ୍ ପ୍ଲାଟ୍ଫର୍ମ ଓ ମୋବାଇଲ୍ ଆପ୍ଲିକେସନ୍ ପ୍ରତି ସତର୍କ ରହିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ କହିଛି । ଦେଶର ଏକାଧିକ ସହରରେ ନେଟ୍ଓ୍ଵାର୍କ ଥିବା ଏକ ପ୍ରମୁଖ ‘ଇନ୍ଷ୍ଟାଣ୍ଟ୍ ଲୋନ୍ ଆପ୍’ ସ୍କାମ୍ ଧରାପଡ଼ିବା ମଧ୍ୟରେ ରିଜର୍ଭ ବ୍ୟାଙ୍କ୍ ଏଭଳି ସତର୍କତା ଜାରି କରିଛି । ଲୋନ୍ ବା ଋଣ ଆଦାୟକାରୀଙ୍କ ଦ୍ୱାରା ହଇରାଣ ହୋଇ ଗତ କେତେ ସପ୍ତାହ ହେବ ତିନିଜଣ ଲୋକ ଆତ୍ମହତ୍ୟା କରିବା ଘଟଣାରେ ଦିଲ୍ଲୀ, ଗୁରୁଗ୍ରାମ ଓ ହାଇଦ୍ରାବାଦରେ ୧୭ଜଣଙ୍କୁ ଗିରଫ କରାଯାଇଛି ।
ଏହାଛଡ଼ା, ରିଜର୍ଭ ବ୍ୟାଙ୍କ୍ କହିଛି ଯେ, ବ୍ୟାଙ୍କ୍ ଏବଂ ରିଜର୍ଭ ବ୍ୟାଙ୍କ୍ ପଞ୍ଜିକୃତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଅଣ-ବ୍ୟାଙ୍କିଙ୍ଗ୍ ଅର୍ଥନୈତିକ କମ୍ପାନି ଓ ସଂସ୍ଥାନ ବୈଧ୍ୟ ଋଣ ପ୍ରଦାନ କରିପାରିବେ । ତେଣୁ ଯେଉଁ କମ୍ପାନିମାନେ ଅନାୟାସରେ ଋଣ ଦେବା ନିମନ୍ତେ ପ୍ରଲୋଭନ ଦେଖାଉଛନ୍ତି ସେମାନଙ୍କର ପୃଷ୍ଠଭୂମି ଯାଞ୍ଚ କରନ୍ତୁ ।