ସତ୍ୟଶିଖା(ପୁରୀ)୧୭/୦୭: ରତ୍ନଭଣ୍ଡାରରୁ ରତ୍ନ ଚୋରି ନେଇ ଏକ ବଡ ଅଭିଯୋଗ ଫର୍ଦ୍ଦ ନଜରକୁ ଆସିଛି । ଏହି ଅଭିଯୋଗର ଗୋଟିଏ ପୋଷ୍ଟର ଟାଉନ୍ ହଲ୍ ପାଚେରି କାନ୍ଥରେ ମରାଯାଇଥିବା ବେଳେ ଅନ୍ୟଟି ପୋଷ୍ଟ ଅଫିସ୍ ପାଚେରି କାନ୍ଥରେ ଲାଗିଛି । ଏହି ପୋଷ୍ଟର କିଏ ଲଗାଇଛି ଅଦ୍ୟାବଧି ସେ ନେଇ ସ୍ପଷ୍ଟ ହୋଇ ନ ଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ୧୧ ବର୍ଷ ତଳେ ଏକ ଦ୍ୱିତୀୟ ଶନିବାରରେ ରତ୍ନ ଚୋରି ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି ।
ଆହୁରି ଲେଖାଯାଇଛି, ଶୀତ ଋତୁର ପ୍ରବଳ କୁହୁଡିଆ ରାତିରେ ଏହି ରତ୍ନ ଚୋରି ହୋଇଛି । ରତ୍ନ ଭଣ୍ଡାରରୁ ରତ୍ନ ଚୋରି ହେଉଥିବା ନେଇ ଜଣେ ଭକ୍ତଙ୍କୁ ମହାପ୍ରଭୁ ସ୍ୱପ୍ନ କରିବା ପରେ ସେ ସିଧା ଶଯ୍ୟା ତ୍ୟାଗ କରି ଶ୍ରୀମନ୍ଦିର ସମ୍ମୁଖରେ ପହଂଚି ଥିଲେ । ଏହି ଦିନ ମହାପ୍ରଭୁଙ୍କ ଶୀଘ୍ର ପହୁଡ ହୋଇଥିବା ବେଳେ ବିଳମ୍ବିତ ରାତିରେ ସିଂହଦ୍ୱାର ଖୋଲାଥିବା ଦେଖି ସେ ଭିତରକୁ ଯାଇଥିଲେ । ବେହେରଣ ଦ୍ୱାରରେ ପହଞ୍ଚିିବା ବେଳକୁ କିଛି ସେବକ ଓ ପୁଲିସଙ୍କ ଉପସ୍ଥିତିରେ ରତ୍ନ ବୁହାଯାଇ ପଶ୍ଚିମଦ୍ୱାର ଠାରେ ଥିବା ଏକ ୪୦୭ ଗାଡିରେ ଲୋଡ ହୋଇଥିଲା । ଉପସ୍ଥିତ ସେବକ ତାଙ୍କୁ ତୁରନ୍ତ ସ୍ଥାନରୁ ପଳାଇବାକୁ ଧମକାଇଥିଲେ ।
ବହୁ ଯୁକ୍ତି ପରେ ସେ ସେଠାରୁ ସିଂହଦ୍ୱାର ବାଟେ ବହାରି ଆସି ପୁଣି ଏମାରମଠ ଚକଡା ଦେଇ ଗାଣ୍ଡୁଆ ଚୌରା ଛକରେ ପହଁଚି ଥିଲେ । ସେଠାରେ ପୋଲିସ ମଧ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ସେ ବନ୍ଧୁ ଘରକୁ ଯାଉଥିବା ବାହାନା କରି ସମ୍ପୃକ୍ତ ୪୦୭ ଗାଡିରେ ପୁଲିସ ଉପସ୍ଥିତିରେ କିପରି ରତ୍ନ ଭଣ୍ଡାରରୁ ରତ୍ନ ଚୋରି ଚାଲିଛି ଦେଖିଥିଲେ । ପରେ ଘର ଅଭିମୁଖେ ଚାଲି ଯାଇଥିଲେ । ଶ୍ରୀକ୍ଷେତ୍ରଠାରୁ ଅନତିଦୂରତରେ ତାଙ୍କ ଘର ହୋଇଥିବାରୁ ଏହା ପରଦିନ ଘରକୁ ଯିବା ବାଟରେ ସାକ୍ଷୀଗୋପାଳ ଛକ ପୂର୍ବରୁ ପଡ଼ୁଥିବା ସମଯାଜପୁର ବ୍ରିଜ୍ ଉପରେ ସମ୍ପୃକ୍ତ ୪୦୭ ଗାଡି ଖରାପ ହୋଇପଡ଼ିଥିବା ଦେଖିଥିଲେ । ଏବଂ ପୁନଶ୍ଚ ଘର କାମ ସାରି ଶ୍ରୀକ୍ଷେତ୍ରରେ ଫେରିବା ବେଳକୁ ଗାଡିଟି ବ୍ରିଜ୍ ଉପରେ ନ ଥିବା ଦେଖିବାକୁ ପାଇଥିଲେ ।
ରତ୍ନଭଣ୍ଡାର ଚୋରିରେ ସହଯୋଗ କରୁଥିବା ଜଣେ ସେବକ ଏବେ କ୍ୟାନ୍ସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ମଧ୍ୟ ସେ ଏହି ପୋଷ୍ଟରରେ ଲେଖିଛନ୍ତି। ସେ ଏବେ ଟିକିଏ ସୁସ୍ଥ ହୋଇଥିବାରୁ ତାଙ୍କଠାରୁ ତଦନ୍ତ କରାଗଲେ ରତ୍ନ ଚୋରି ଗୋଷ୍ଠୀଙ୍କୁ ମୁଖା ଖୋଲିବ ବୋଲି ସେ ଏହି ପୋଷ୍ଟରରେ ଦାବି କରିଛନ୍ତି । ପୋଷ୍ଟରରେ ଏଭଳି ସାଂଘାତିକ ତଥ୍ୟ ନେଇ ପୁରୀରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।
କିଏ ସେ ଭକ୍ତ, କିଏ ସେ ସେବକ, କିଏ ସେ ଗୋଷ୍ଠୀ ଓ ରତ୍ନଭଣ୍ଡାର ଚୋରି ହୋଇଛି ନା ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ଜଣେ ଜାଣିଥିଲା ଏତେ ଦିନ ଧରି କାହିଁକି ଚୁପ୍ ଥିଲା, ଏହା ମିଛ ବୋଲି ମଧ୍ୟ ଆଲୋଚନା ହେଉଛି। ଆଜିକାଲି ଅନେକ ସେବାୟତ କ୍ୟାନସର ଆକ୍ରାନ୍ତ ତେଣୁ ଜାଣିବାର ଅବକାଶ କମ୍ ବୋଲି ଚର୍ଚ୍ଚା ହୋଇଛି ।