ଚୀନକୁ ଝଟକା ଦେବାକୁ ଭାରତର ପ୍ରସ୍ତୁତି, ବାତିଲ୍ ହୋଇପାରେ ଦିଲ୍ଲୀ ମେରଠ RRTS ପ୍ରୋଜେକ୍ଟ


ନୂଆଦିଲ୍ଲୀ ୧୭।୦୬: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ସୋମବାର ରାତିରେ ଚୀନ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ଘଟିଥିବା ହିଂସାତ୍ମକ ସଂଘର୍ଷ ପରେ ଭାରତ ବେଜିଂକୁ ଘେରିବା ପାଇଁ ଅନେକ ମୋର୍ଚ୍ଚାରେ ପ୍ରସ୍ତୁତି କରିବା ଆରମ୍ଭ କରିଛି। ଏଥି ମଧ୍ୟରୁ ଆର୍ଥିକ ମୋର୍ଚ୍ଚାରେ ଚୀନ ଉପରେ ପ୍ରହାର କରିବାକୁ ଭାରତ ଅଣ୍ଟା ଭିଡିଛି। ପ୍ରଥମତଃ ଚୀନ ପ୍ରକଳ୍ପକୁ ନେଇ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ସେହି ପ୍ରଜେକ୍ଟକୁ ରଦ୍ଦ କରାଯାଇପାରେ, ଯାହାର ଠିକାଦାରୀ ଚୀନ କମ୍ପାନୀକୁ ମିଳିଛି। ଏଥିରେ ମେରଠ ରାପିଡ୍ ରେଲ୍ ପ୍ରକଳ୍ପ ମଧ୍ୟ ସାମିଲ। ଏହାର ଠିକାଦାରୀ ମଧ୍ୟ ଚୀନ କମ୍ପାନୀ ହାସଲ କରିଛି।
କୁହାଯାଉଛି ଯେ, ଚୀନ ସୀମାରେ ବିବାଦକୁ ନେଇ ଭାରତ ସରକାର ସେହି ପ୍ରକଳ୍ପର ସମୀକ୍ଷା ମଧ୍ୟ ଆରମ୍ଭ କରି ଦେଇଛନ୍ତି, ଯାହାର ନିର୍ମାଣ ଦାୟିତ୍ଵ ଚୀନ କମ୍ପାନୀକୁ ଦିଆଯାଇଛି। ଏଥିରେ ଦିଲ୍ଲୀ-ମେରଠ ଆରଆରଟିଏସ ପ୍ରୋଜେକ୍ଟ ମଧ୍ୟ ସାମିଲ। ସରକାରଙ୍କ ପକ୍ଷରୁ ବିଡ୍ ବାତିଲ କରିବା ପାଇଁ ସମସ୍ତ ଆଇନଗତ ଦିଗ ଉପରେ ସମୀକ୍ଷା କରାଯାଉଛି। କୁହାଯାଉଛି ସରକାର ଏହି ବିଡ୍କୁ ବାତିଲ କରି ପାରନ୍ତି।
ଦିଲ୍ଲୀ-ମେରଠ ମଧ୍ୟରେ ସେମି ହାଇସ୍ପିଡ୍ ରେଲ କରିଡର ନିର୍ମାଣ କରାଯିବ। ଏହି ପ୍ରୋଜେକ୍ଟ ଦିଲ୍ଲୀ, ଗାଜିୟାବାଦ ଦେଇ ମେରଠକୁ ସଂଯୋଗ କରିବ। ୮୨.୧୫ କିଲୋମିଟର ଲମ୍ବର ଏହି ଆରଆରଟିଏସରେ ୬୮.୦୩ କିଲୋମିଟର ଅଂଶ ଏଲିଭେଟେଡ୍ ଓ ୧୪.୧୨ କିଲୋମିଟର ଭୂତଳ ଅର୍ଥାତ ଅଣ୍ଡରଗ୍ରାଉଣ୍ଡ ଦେଇ ଯିବ। ଏହି ପ୍ରୋଜେକ୍ଟ ମୁଖ୍ୟତଃ ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଯାତ୍ରା କରୁଥିବା ଲୋକଙ୍କୁ ବିଶେଷ ଫାଇଦା ମିଳିବ।
ଦିଲ୍ଲୀ-ମେରଠ ଆରଆରଟିଏସ ପ୍ରୋଜେକ୍ଟର ଅଣ୍ଡରଗ୍ରାଉଣ୍ଡ ରାସ୍ତା ପାଇଁ ସବୁଠୁ କମ୍ ବୋଲି ଚୀନର ଏକ କମ୍ପାନୀ ସାଙ୍ଘାଇ ଟନେଲ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍(STEC) ଲଗାଇଥିଲା। ଏସଟିଇସି ୧୧୨୬ କୋଟି ଟଙ୍କାର ବୋଲି ଲଗାଇଥିଲା। ଚୀନୀ କମ୍ପାନୀକୁ ଏହି ପ୍ରକଳ୍ପର କାମ ଦେବା ନେଇ ବିରୋଧୀ ସମେତ ସ୍ଵଦେଶୀ ଜାଗରଣ ମଞ୍ଚ ବିରୋଧ କରୁଛନ୍ତି।
ଦିଲ୍ଲୀ-ମେରଠ RRTS କରିଡରରେ ନ୍ୟୁ ଅଶୋକ ନଗରରୁ ସାହିବାବାଦ ମଧ୍ୟରେ ୫.୬ କିଲୋମିଟର ପର୍ଯ୍ୟନ୍ତ ଅଣ୍ଡରଗ୍ରାଉଣ୍ଡ ସେକ୍ସନର ନିର୍ମାଣ କରାଯିବ। ଏଥିପାଇଁ ପାଞ୍ଚ କମ୍ପାନୀ ବୋଲି ଲଗାଇଥିଲେ। ଚୀନୀ କମ୍ପାନୀ STEC ସବୁଠୁ କମ୍ ୧୧୨୬ କୋଟି ଟଙ୍କା ବୋଲି ଲଗାଇ ବିଡ୍ ହାସଲ କରିଥିଲା। ବିଡମ୍ବନାର କଥା ଭାରତୀୟ କମ୍ପାନୀ ଲାର୍ସନ ଆଣ୍ଡ ଟ୍ରୁବୋ(L & T) ୧୧୭୦ କୋଟି ବୋଲି ଲଗାଇଥିଲେ ମଧ୍ୟ ପ୍ରୋଜେକ୍ଟ ହାସଲ କରି ପାରିନଥିଲା।