

ସତ୍ୟଶିଖା( ନୂଆଦିଲ୍ଳୀ) ୧୩.୧୧.୨୦୨୧: ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ବଢ଼ିବାରେ ଲାଗିଛି, ଯାହା ଫଳରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନଙ୍କୁ ଘରେ ହିଁ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ପ୍ରଦୂଷଣ ବର୍ତ୍ତମାନ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାକୁ ନେଇ ଗୋଟେ ପଟେ କପ୍୨୬ ପରି ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରଖିଥିବା ବେଳେ ଅନ୍ୟପଟେ ସ୍ୱିଜରଲ୍ୟାଣ୍ଡ ଭିତ୍ତିକ ଜଳବାୟୁ ଗୋଷ୍ଠୀ ଆଇକ୍ୟୁଏୟାରର ବାୟୁ ଗୁଣବତ୍ତା ଏବଂ ପ୍ରଦୂଷଣ ସହର ଟ୍ରାକିଂ ସେବା ବିଶ୍ୱରେ ପ୍ରଦୂଷିତ ସହରଗୁଡିକର ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଭାରତର ତିନୋଟି ସହର ରହିଛି । ଏହି ତାଲିକାରେ ପାକିସ୍ତାନ ଏବଂ ଚୀନ୍ କିଛି ସହର ମଧ୍ୟ ଅନ୍ତର୍ଭୁକ୍ତରହିଛି । ଏହି ତାଲିକାରେ ଦିଲ୍ଲୀ ଏକ୍ୟୁଆଇ ୫୫୬ ସହିତ ଟପ୍ ରେ ରହିଛି । ସେହିପରି ତାଲିକାରେ କୋଲକାତା ୪ର୍ଥ ନମ୍ବରରେ ଥିବା ବେଳେ ମୁମ୍ବାଇ ୬ଷ୍ଠ ନମ୍ବରରେ ରହିଛି । ଖରାପ ଏକ୍ୟୁଆଇ ସୂଚକାଙ୍କ ଥିବା ସହର ମଧ୍ୟରେ ପାକିସ୍ତାନର ଲାହୋର୍ ଓ ଚୀନର ଚେଙ୍ଗଦୁ ସାମିଲ ରହିଛି ।