ଦୁଇ ଡୋଜ ଟିକା ନେଇଥିବା ଭାରତୀୟଙ୍କୁ ବ୍ରିଟେନରେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି


ସତ୍ୟଶିଖା ( ଭୁବନେଶ୍ୱର )୦୮/୧୦ /୨୦୨୧: ଭାରତର କଠୋର ଆଭିମୁଖ୍ୟ ପରେ ନରମ ପଡ଼ିଲା ବ୍ରିଟେନ୍ । ଏଣିକି କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ନେଇଥିବା ଭାରତୀୟଙ୍କୁ ବ୍ରିଟେନରେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ନାହିଁ । ଆସନ୍ତା ସୋମବାରରୁ ଏହି ନିୟମ ଲାଗୁ ହେବ ।
ପୂର୍ବରୁ କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କ ପାଇଁ ବ୍ରିଟେନରେ କ୍ୱାରେଣ୍ଟିନ୍ ନିୟମକୁ ବାଧ୍ୟତାମୂଳକ କରାଯାଇଥିଲା । ଯାହାକୁ ନେଇ ଦେଖାଦେଇଥିଲା ବିବାଦ । ଏହାପରେ ଭାରତ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ । ଭାରତ ଆସୁଥିବା ବ୍ରିଟେନ୍ ନାଗରିକଙ୍କ ପାଇଁ କୋଭିଡ୍ ଯାଞ୍ଚ ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା । ଟିକା ନେଇଥିଲେ ବି ୧୦ ଦିନିଆ କ୍ୱାରେଣ୍ଟିନ୍ ନିୟମ କରିଥିଲେ ସରକାର ।
ଭାରତର କଡ଼ା ପ୍ରତିକ୍ରିୟା ପରେ ଏବେ ନିଷ୍ପତ୍ତି ବଦଳାଇଛି ବ୍ରିଟେନ୍ । ଆସନ୍ତା ୧୧ ତାରିଖରୁ କୋଭିସିଲ୍ଡ କିମ୍ବା ବ୍ରିଟେନ୍ ମାନ୍ୟତାପ୍ରାପ୍ତ ଯେକୌଣସି ଟିକାର ଦୁଇଟି ଡୋଜ୍ ନେଇଥିଲେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି । ଏଥିସହ ଦୁଇ ଦେଶ ମଧ୍ୟରେ କ୍ୱାରେଣ୍ଟିନ୍ ବିବାଦର ଅନ୍ତ ହୋଇଛି ।