ରାଜ୍ୟସ୍ୱାସ୍ଥ୍ୟ

ଓଡିଶାରେ ଚିହ୍ନଟ ହେଲା ଭାରତୀୟ ଷ୍ଟ୍ରେନ୍ ବି. ୧.୬୧୭ : ୭୦ ଜଣଙ୍କୁ କରିଛି ସଂକ୍ରମିତ

ସତ୍ୟଶିଖା(ଭୁବନେଶ୍ୱର) ୧୩ .୦୫.୨୦୨୧:  ଓଡ଼ିଶାରେ ଚିହ୍ନଟ ହୋଇଛି କରୋନାର ଭୟଙ୍କର ଭାରତୀୟ ଷ୍ଟ୍ରେନ୍‌ (ବି.୧.୬୧୭) । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହି ଘାତକ ଟ୍ରିପଲ୍‌ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ସମ୍ପର୍କରେ ସୂଚନା ଦେଇଥିଲା । ଓଡ଼ିଶାରେ ୭୦ ଜଣଙ୍କଠାରେ ବିପଜ୍ଜନକ ଏହି ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଖାଲି ସେତିକି ନୁହେଁ, ବ୍ରିଟେନ୍‌ ଷ୍ଟ୍ରେନ୍‌ (ବି.୧.୧.୭)ର ୩୦ ଜଣଙ୍କଠାରେ ଠାବ ହୋଇଛି ।

ଭାରତୀୟ ଷ୍ଟ୍ରେନ୍‌ (ବି.୧.୬୧୭) ପ୍ରଥମେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିଲା । ପରେ ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ମଧ୍ୟ ଦେଖାଯାଇଥିଲା । ଏହି ନୂଆ ଷ୍ଟ୍ରେନ୍‌ ଦ୍ରୁତ ଗତିରେ ସଂକ୍ରମଣ କରିବା ସହ ଅଧିକ ଜୀବନ ନେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଥିଲା । ଏହି ଭୂତାଣୁ ଓଡ଼ିଶାରେ ରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି ।

ଏପଟେ ରାଜ୍ୟରେ ସଂକ୍ରମଣ କମୁନି । ମଙ୍ଗଳବାର ୧୦ ହଜାର ତଳକୁ ଖସିଥିଲା । ଆଜି ପୁଣିଥରେ ୧୧ ହଜାର ନିକଟତର ହୋଇଛି । ଲକ୍‌ଡାଉନ୍‌, ସଟ୍‌ଡାଉନ ସବୁ ପରେ ବି ରାଜ୍ୟରେ ସଂକ୍ରମଣରେ ବ୍ରେକ୍‌ ଲାଗୁନି । ବୁଧବାର ୧୦,୯୮୨ ଆକ୍ରାନ୍ତ ହୋଇଛନ୍ତି । ପଜିଟିଭ୍‌ ହାର ୨୨.୩୫%କୁ ବଢିଛି । ଅର୍ଥାତ ରାଜ୍ୟରେ ପରୀକ୍ଷା ହେଉଥିବା ୧୧ ନମୁନାରେ ୨ଟି ପଜିଟିଭ୍‌ ରହୁଛି । ମେ ମାସର ୧୨ ଦିନରେ ୧ ଲକ୍ଷ ୨୧ ହଜାର ୪୫୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ଭିତରେ ସକ୍ରିୟ ରୋଗୀ ସଂଖ୍ୟା ୮୯,୬୮୩ ହୋଇଯାଇଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲ୍‌ରେ ଅଧିକ ବେଡ୍‌ ଆଉ ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ବେଡ୍‌ ଅଭାବ ବଢୁଛି । ଆଜି ମଧ୍ୟ ୧୭ ଜୀବନ ଯାଇଛି କରୋନାରେ ।

ଏ ପଟେ ରୋଗ ପ୍ରତିରୋଧକ ଶକ୍ତି ସମ୍ପର୍କରେ ଜାଣିବାକୁ ଆଜିଠୁ ଆରମ୍ଭ ହୋଇଛି ର‌୍ୟାଣ୍ଡମ ସାମ୍ପଲିଂ ସର୍ଭେ । ସାରା ରାଜ୍ୟରୁ ଏଥିପାଇଁ ନମୁନା ସଂଗ୍ରହ କରାଯାଉଛି । ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି, ଗତବର୍ଷ କରୋନା ହୋଇଥିବା ବ୍ୟକ୍ତି ସମେତ ନେଗେଟିଭ୍‌ ଆସିଥିବା ବ୍ୟକ୍ତିଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅଛି ନା ନାହିଁ ସର୍ଭେ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଯିବ । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆରସି) ସର୍ଭେ କରୁଥିବା ସମ୍ପର୍କରେ ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ସକ୍ରିୟ ରୋଗୀ ସଂଖ୍ୟା ବଢୁଛି । ଏବେ ଲକ୍‌ଡାଉନ, ସଟ୍‌ଡାଉନ ଚାଲିଛି । ତେବେ ଲୋକେ ସଚେତନ ନହେଲେ, ରୋଗ ନିୟନ୍ତ୍ରଣ ହେବନି । ମାସ୍କ, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇଲେ ହିଁ କରୋନାଠୁ ରକ୍ଷା ପାଇବା ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଲୋଚନା କରିଛନ୍ତି । ରାଜ୍ୟକୁ ତୁରନ୍ତ ୨୫ ଲକ୍ଷ ଡୋଜ୍‌ ଟିକା ସହ ୩୯ ହଜାର ଅକ୍ସିଜେନ ସିଲିଣ୍ଡର ଯୋଗାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ରାଜ୍ୟ ଦାବି ରଖିଛି । ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ, ହେଲେ ସିଲିଣ୍ଡରର ଅଭାବ ରହିଛି । ରାଜ୍ୟରେ ଏବେ ୨୨ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଅପେକ୍ଷା କରଛନ୍ତି । ତୁରନ୍ତ ରାଜ୍ୟକୁ ଟିକା ଦିଆଯାଉ । ଏହାବାଦ୍‌ ଅଧିକ ପିପିଇ କିଟ୍‌ ଓ ର‌୍ୟାପିଡ୍‌ ଆଣ୍ଟିଜେନ୍‌ କିଟ୍‌ ଦେବାକୁ ମଧ୍ୟ ରାଜ୍ୟ ଦାବି ରଖିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Show More
Back to top button