

ସତ୍ୟଶିଖା(ନୂଆଦିଲ୍ଲୀ ) ୧୭.୦୮ .୨୦୨୧: ଭୁବନେଶ୍ୱରରେ ପହଁଚିଲା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ । ଶିଙ୍ଗ ବାଜା, ଢ଼ୋଲ ମାଡ଼ ସାଙ୍ଗକୁ ଆତସବାଜିରେ କମ୍ପିଲା ରାଜଧାନୀ ରାସ୍ତା । ଏୟାରପୋର୍ଟରୁ ଆରମ୍ଭ କରି ହୋଟେଲ୍ , ଷ୍ଟାଡିୟମ୍ ରାସ୍ତା ସମେତ ରାଜଧାନୀର ସବୁ ପ୍ରମୁଖ ରାସ୍ତାଘାଟ ବ୍ୟାନର୍ ପୋଷ୍ଟରରେ ହକି ଖେଳାଳିଙ୍କୁ ସ୍ୱାଗତ କରାଯାଇଛି । ବିମାନବନ୍ଦରରେ ଟିମ୍ ପହଁଚିବା ପରେ କ୍ରୀଡାମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।
ଟୋକିଓ ଅଲିମ୍ପିକ୍ସରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ଓଡ଼ିଶା ମାଟିରେ ସ୍ବାଗତ ପାଇଁ ସାରା ସହରରେ ଏଭଳି ଉତ୍ସାହ, ଉତ୍କଣ୍ଠା ଦେଖାଦେଇଛି। ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି । ସେହିପରି ସେମିଫାଇନାଲରେ ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନକୁ ନେଇ ସାରା ଦେଶରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟୁଛି । ଉଭୟ ଦଳର ପ୍ରାୟୋଜକ ଥିବା ଓଡ଼ିଶା ସରକାର ଏହି ଖେଳାଳିମାନଙ୍କୁ ଲୋକସେବା ଭବନ କନଭେନସନ ହଲ୍ ରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା କରିବେ । ହୋଟେଲ୍ ରେ ମଧ୍ୟ ଖେଳାଳିଙ୍କ ରହିବାଠାରୁ ଖାଇବା ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ହୋଟେଲ୍ ସାଣ୍ଡିସ୍ ଟାୱାରକୁ ଫୁଲ ଓ ରଙ୍ଗିନ୍ ଆଲୋକରେ ସଜା ଯାଇଛି। ସବୁ ଖେଳାଳିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ସକାଳ ଜଳଖିଆ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଛି। ମଧ୍ୟାହ୍ନ ଭୋଜନରେ ପୁରୁଷ ହକି ଖେଳାଳିଙ୍କ ପାଇଁ ବିଶେଷକରି ମଟନ ବିରିୟାନି ଏବଂ ମଟନର ୪ଟି ଡିସ୍ ପ୍ରସ୍ତୁତ ହୋଇଛି। ସେହିପରି ମହିଳା ଖେଳାଳିଙ୍କ ପାଇଁ କବାବ ରହିଛି। ଏହାଛଡ଼ା ପନିର ପଞ୍ଜାବୀ ମସଲା, ଡାଲ୍ ମଖନୀ ମସ୍ ରୁମ୍ , ଚିଲ୍ଲି ପ୍ରନ୍ , ଚକୁଳି, ଚିଲ୍ଲି ଗାର୍ଲିକ ନୁଡ଼ୁଲ୍ସ, ବେବି କର୍ଣ୍ଣ, ସକାଳ ଜଳଖିଆରେ ପରଠା, ଦହି, ଇଡ୍ ଲି, ଦୋଷା, ଉପ୍ ମା, ବରା, କର୍ଣ୍ଣଫ୍ଲେକ୍ସ, ଶିଝା ଅଣ୍ଡା, ସେକ୍ , ତାଜାଫଳ ଜୁସ୍ ଆଦି ମେନୁ ରହିଛି। ହକି ଟିମ୍ ଏୟାରପୋର୍ଟରୁ ଆସି ହୋଟେଲ୍ ରେ ପହଞ୍ଚିବା ଆଉ ଫେରିବା ପର୍ଯ୍ୟନ୍ତ ଯେପରି କୌଣସି ପ୍ରକାର ସମସ୍ୟା ନ ଉପୁଜେ, ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।