ବାଣିଜ୍ୟ

ଉତ୍ଥାନ-ପତ୍ତନ ସେୟାର ବଜାରରେ

ସତ୍ୟଶିଖା (ନୂଆଦିଲ୍ଲୀ) ୨୧.୧୨.୨୦୨୦ : ଅନ୍ତର୍ଜାତୀୟ ବଜାରରେ ନକାରାତ୍ମକ ପ୍ରଭାବ ହେତୁ ଭାରତର ସେୟାର ବଜାରରେ କିଛି ମାତ୍ରାରେ ଏହାର ପ୍ରଭାବ ପଡିଛି । ସପ୍ତାହର ପ୍ରଥମ କାରବାର ଦିନରେ ସେୟାର ବଜାର ଲାଲ ସଙ୍କେତ ସହିତ ଆରମ୍ଭ ହୋଇଛି । ବମ୍ଭେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ୍ ୨୮ ଅଙ୍କ ଖସିବା ସହ ୪୬,୯୩୨ରେ ଆରମ୍ଭ ହୋଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୯ ଅଙ୍କ ଖସି ୧୩,୭୪୧ରେ ଆରମ୍ଭ ହୋଇଥିଲା ।

ତେବେ କାରବାର ସମୟରେ ସେନସେକ୍ସ୍ ୨୬୭ ଅଙ୍କ ଖସି ୪୬,୬୯୩.୯୫​‌ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ସେହିଭଳି ନିଫ୍ଟି ମଧ୍ୟ ୮୬ ଅଙ୍କ ଖସି ୧୩,୬୭୪କୁ ଖସି ଆସିଥିଲା । ସକାଳ ୧୦ଟା ପରଠାରୁ ଉଭୟ ସେନସେକ୍ସ୍ ଏବଂ ନିଫ୍ଟିରେ ଉତ୍ଥାନ-ପତନ ଜାରି ରହିଛି । କାରବାର ଆରମ୍ଭରୁ ପ୍ରାୟ ୬୪୮ ଅଂଶଧାରୀଙ୍କ ସେୟାର ବୃଦ୍ଧିପାଇଥିବା ବେଳେ ୮୩୭ ଟି ସେୟାରରେ ହ୍ରାସ ପାଇଥିବା ଲକ୍ଷ କରାଯାଇଛି ।ଫାର୍ମ ସେକ୍ଟର ବ୍ୟତିତ ଅନ୍ୟ ସେକ୍ଟରଗୁଡିକ ଲାଲ ସଙ୍କେତରେ ଚାଲୁ ରହିଛି । ନିଫ୍ଟିରେ ବୃଦ୍ଧିହାସଲ କରିଥିବା ସେୟାରଗୁଡିକ ମଧ୍ୟରେ L&T, ସିପ୍ଲା, ସନ୍ ଫାର୍ମା, ରିଲାଏନ୍ସ୍ ଶିଳ୍ପ, ଇନଫୋସିସ୍ ଭଳି ସେୟାର ସାମିଲ ଅଛନ୍ତି । ଡଲାର ତୁଳନାରେ ଟଙ୍କା ୧୮ ପଇସା ହ୍ରାସ ପାଇଛି । କିନ୍ତୁ ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୩.୫୭ ଟଙ୍କାରେ ବନ୍ଦ ହୋଇଥିଲା । ଗତ ସପ୍ତାହର କାରବାର ଦିନଗୁଡିକରେ ସେନସେକ୍ସ୍ ଏବଂ ନିଫ୍ଟିରେ ବ୍ୟାପକ ବୃଦ୍ଧି ଦେଖାଯାଇଥିଲା । ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ୍ ୪୭ ହଜାର ପାର କରିଥିଲା । ସେହିଭଳି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୩,୭୦୦ ପାର କରିଥିଲା ।

Show More
Back to top button