୪୨ଟି ସିଏନ୍ଜି ଷ୍ଟେସନ ଏବଂ ୩ଟି ସିଟି ଗେଟ୍ ଷ୍ଟେସନ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର l

ସତ୍ୟଶିଖା (ଭୁବନେଶ୍ୱର) ୦୭.୧୦.୨୦୨୦ : ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଟୋରେଣ୍ଟ ଗ୍ୟାସର ୪୨ଟି କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନ୍ଜି) ଏବଂ ୩ଟି ସିଟି ଗେଟ୍ ଷ୍ଟେସନକୁ ଉତ୍ସର୍ଗୀକୃତ କରିଛନ୍ତି । ଦେଶର ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ପାଇପଲାଇନ୍ର ଶିଳାନ୍ୟାସ ଓ ଟର୍ମିନାଲ, ଗାସ କ୍ଷେତ୍ରରେ ୬୦ ବିଲିୟନ ଅର୍ଥାତ୍ ୪ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଟଙ୍କା ପୁଞ୍ଜିନିବେଶ କରାଯାଉଛି ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ।ଦେଶରେ ସିଟି ଗ୍ୟାସ ବିତରଣ (ସିଜିଡି) ନେଟୱାର୍କର ସଂପ୍ରସାରଣ ପାଇଁ ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯିବା ନେଇ ଟୋରେଣ୍ଟ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ବିଗତ ୬ ବର୍ଷରେ ଦେଶରେ ସିଏନ୍ଜି ଷ୍ଟେସନ ଦୁଇ ଗୁଣା ହୋଇଛି । ୨୦୧୪ରେ ଦେଶରେ ୯୩୮ ସିଏନ୍ଜି ଷ୍ଟେସନ ଥିବାବେଳେ ଏବେ ତାହା ବୃଦ୍ଧି ପାଇ ୨୩୦୦ରେ ପହଞ୍ଚିଛି । ସେହିପରି ବହୁତ କମ୍ ସମୟ ମଧ୍ୟରେ ଦେଶରେ ଟୋରେଣ୍ଟ ପକ୍ଷରୁ ୧୦୦ ସିଏନ୍ଜି ଷ୍ଟେସନ ସ୍ଥାପନ କରାଯାଇଛି । ଦେଶରେ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିକୁ ସଂପ୍ରସାରଣ କରିବାରେ ଟୋରେଣ୍ଟ ଗ୍ୟାସର ଉଦ୍ୟମ ପ୍ରଶଂସନୀୟ ।
ଉତ୍ତରପ୍ରଦେଶରେ ୧୪ଟି, ମହାରାଷ୍ଟ୍ରରେ ୮ଟି, ଗୁଜରାଟରେ ୬ଟି, ପଞ୍ଜାବରେ ୪ଟି, ତେଲଙ୍ଗାନା ଏବଂ ରାଜସ୍ଥାନରେ ୫ଟି ଲେଖାଏଁ ସିଏନ୍ଜି ଷ୍ଟେସନର ଲୋକାର୍ପଣ କରାଯାଇଛି । ଏହାବ୍ୟତୀତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ପଞ୍ଜାବରେ ଗୋଟିଏ ଲେଖାଁଏ ସିଟି ଗେଟ୍ ଷ୍ଟେସନ ଲୋକାର୍ପଣ କରାଯାଇଛି । ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ସମସ୍ତ ୪୨ଟି ସିଏନ୍ଜି ଷ୍ଟେସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଥିବା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହେବ । ଦେଶ ଗ୍ୟାସ ଆଧାରିତ ଅର୍ଥନୀତି ଦିଗକୁ ଅଗ୍ରସର ହେଉଥିବା ବେଳେ ଏହା ଦେଶର ଅଶୋଧିତ ତୈଳର ନିର୍ଭରତାକୁ ହ୍ରାସ କରିବ ।