

ସତ୍ୟଶିଖା(ଭୁବନେଶ୍ୱର) ୧୬ .୦୫.୨୦୨୧: ଓଡ଼ିଶାରେ କରୋନା ଏବେ ସର୍ବୋଚ୍ଚ ସ୍ତର (ପିକ୍)ରେ ପହଞ୍ଚିନି । ଏବେ ଆମକୁ ଅଧିକ ସତର୍କ ରହିବାକୁ ହେବେ । ଲକ୍ଡାଉନ, ସଟ୍ଡାଉନ ଚାଲିଛି । ସଂକ୍ରମଣ ଗୋଟିଏ ସର୍ବୋଚ୍ଚ ସ୍ତରକୁ ଯିବା ପରେ ଯଦି ସପ୍ତାହେ ଯାଏ ପଜିଟିଭ୍ କମିବ ତେବେ ଆମେ ପିକ୍ ଆସିଗଲା ବୋଲି କହିପାରିବା। ତେବେ ଏଇ ସପ୍ତାହରେ ଆମକୁ ଅଧିକ ଜଗି ହୋଇ ରହିବାକୁ ହେବ । ମେ’ ଶେଷ ସପ୍ତାହରେ ସଂକ୍ରମଣ ପିକ୍କୁ ଯାଇ ଖସିବ । ଏମିତି ଆଶଙ୍କା କରିଛନ୍ତି ବିଶେଷଜ୍ଞ । ୧୧ ଦିନ ହେଲା ଲକ୍ଡାଉନ୍ ଓ ସଟ୍ଡାଉନ ରହିଛି । ହେଲେ ଏହା ପରେ ବି ରାଜ୍ୟରେ କିନ୍ତୁ ପଜିଟିଭ୍ ହାରରେ ହ୍ରାସ ଆସୁନି । ଏହି ଚିତ୍ର ଏବେ ବିଶେଷଜ୍ଞଙ୍କଠୁ ଆରମ୍ଭ କରି ସରକାର ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ସମ୍ ହସ୍ପିଟାଲର ବିଶିଷ୍ଟ ଡାକ୍ତର ପ୍ରଫେସର ମନୋଜ ସାହୁ କହିଛନ୍ତି, ଆଶା ଥିଲା ଏଇ ମାସ ଦ୍ୱିତୀୟ ସପ୍ତାହରେ କରୋନା କମିଯିବ ବୋଲି । ମହାରାଷ୍ଟ୍ର, ଦିଲ୍ଲୀ ଭଳି ରାଜ୍ୟରେ ସଂକ୍ରମଣ କମୁଛି । ହେଲେ ଓଡ଼ିଶାରେ ଆଉ ଟିକେ ବିଳମ୍ବ ହୋଇପାରେ ।
ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆରସି) ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି କହିଛନ୍ତି, ଏବେ ଆଉ ୩/୪ ଦିନ ସର୍ବେକ୍ଷଣ କରିବାକୁ ହେବ । ସଂକ୍ରମଣ ବଢୁଛି ନା କମୁଛି । ଦେଶରେ ଅନ୍ୟ ସ୍ଥାନରେ କମୁଥିବାରୁ ରାଜ୍ୟରେ ସତର୍କ ରହିଲେ, କମିବ । ସୋରୋଲୋଜିକାଲ୍ ନେଇ ଏବେ ନିଷ୍ପତ୍ତି ହୋଇନି। ତେବେ ର୍ୟାଣ୍ଡମ୍ ସାମ୍ପଲିଂ ସର୍ଭେ ଏବେ ରାଜ୍ୟରେ ଚାଲିଛି । ଆଉ ସପ୍ତାହେ ଯାଏ ଏହା ଜାରି ରହିବ।
ଏପଟେ ଆଇସିୟୁ ଅଭାବ ଦୂର ପାଇଁ ଶନିବାର ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ବିଭାଗ । ଜେନରାଲ ବେଡ୍ ଆବଶ୍ୟକ କରୁଥିବା ରୋଗୀ ଆଇସିୟୁରେ ରହୁଥିବା ବେଳେ ଗୁରୁତର ରୋଗୀଙ୍କୁ ଆଇସିୟୁ ମିଳୁନି । ଆଇସିୟୁ ବେଡ୍ର ସ୍ଥିତି ଯାଞ୍ଚ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଟିମ୍ ଆଇସିୟୁ ବେଡ୍ ସମ୍ପର୍କରେ ସମୀକ୍ଷା କରି ବେଡ୍ ଆବଶ୍ୟକ କରୁଥିବା ପ୍ରକୃତ ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ବେଡ୍ ଦିଆଯିବ ।
ଟିମ୍ କେବଳ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ ବୁଲି ଆଇସିୟୁ ଯାଞ୍ଚ କରିବ । ସକ୍ରିୟ ରୋଗୀ ସଂଖ୍ୟା ୧ ଲକ୍ଷ ପାଖାପାଖି ରହିଛନ୍ତି ରାଜ୍ୟରେ। ସବୁଦିନ ୧୨ ହଜାର ପାଖାପାଖି ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଟ୍ୱିନ୍ସିଟିରେ ୭୯ ପ୍ରତିଶତ ବେଡ୍ ଭର୍ତ୍ତି ଓ ବାକି ୨୧ ପ୍ରତିଶତ ବେଡ୍ ଖାଲି ପଡିଛି । ଏ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଚାପ କମାଇବାକୁ ଏହି ଟିମ୍ ରଣନୀତି କରିବ ।