

ସତ୍ୟଶିଖା(ନୂଆଦିଲ୍ଲୀ ) ୧୮.୦୧.୨୦୨୨ : ମଙ୍ଗଳବାର ଭାରତରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୮ ହଜାର ୦୧୮ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତକାଲିଠାରୁ ଆଜି ୨୦ ହଜାର ୦୭୧ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ଦେଶରେ ଏବେ ୧୭ ଲକ୍ଷ ୩୬ ହଜାର ୬୨୮ ସକ୍ରିୟ ସଂକ୍ରମିତ ରହିଛନ୍ତି। ଯାହା ଏପର୍ଯ୍ୟନ୍ତ ଦେଶରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କର ୪.୬୨ ପ୍ରତିଶତ ଅଟେ।
କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତ ସଂଖ୍ୟା ଏବେ ୮,୮୯୧ରେ ପହଁଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୭ ହଜାର ୪୨୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେଶରେ ସୁସ୍ଥତା ହାର ଏବେ ୯୪.୦୯ ପ୍ରତିଶତ ରହିଛି।
ତେବେ ଗତ ୨୪ ଘଣ୍ଟାରେ ଦେଶରେ ୩୧୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ମୋଟ ମୃତ୍ୟୁ ସଂଖା ୪,୮୬,୭୬୧ରେ ପହଁଞ୍ଚିଛି । ଭାରତରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରଠୁ ଏପର୍ଯ୍ୟନ୍ତ ୭୦.୫୪ କୋଟି ନମୂନା ପରୀକ୍ଷଣ କରାଯାଇଛି।
ସେହିଭଳି କରୋନାକୁ ମାତ୍ ଦେବା ପାଇଁ ଚାଲିଥିବା ଟିକାକରଣ ଦୃତ ଗତିରେ ଆଗେଇ ଚାଲିଛି। ଏପର୍ଯ୍ୟନ୍ତ ୧୫୮.୦୪ କୋଟି ଡୋଜ ଟିକାକରଣ ହୋଇସାରିଲାଣି। ରବିବାର ଭାରତରେ ଟିକାକରଣ ପ୍ରକ୍ରିୟା ଏକ ବର୍ଷ ପୁରଣ କରିଛି।






