
ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୦୧/୨୦୨୧ : ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଘରେ ଆଇକର ବିଭାଗର ଚଢ଼ାଉ । ବେନାମୀ ସଂପତ୍ତି ମାମଲାରେ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ଅଧିକାରୀ ପଚରାଉଚରା କରୁଛନ୍ତି । ଏହି ମାମଲାରେ ଆୟକର ବିଭାଗ ରବର୍ଟ ଭଦ୍ରାଙ୍କୁ ନୋଟିସ୍ କରିଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ ବୋଲି ସୂଚନା ମିଳିଛି । ରବର୍ଟ ଭଦ୍ରା ଆଇକର ବିଭାଗ କାର୍ଯ୍ୟାଳୟରେ ହାଜର ନହେବାରୁ ଅଧିକାରୀମାନେ ସିଧା ତାଙ୍କ ବାସଭବନରେ ପହଞ୍ଚି ପଚରାଉଚରା କରିଛନ୍ତି । ଏହା ସହ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ଦିଲ୍ଲୀ ସ୍ଥିତ ସୁଖଦେବ ବିହାରରେ ଥିବା ବାସଭବନରେ ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କରାଯାଉଛି । ବିକାନେର ଓ ଫରିଦାବାଦ ଜମି ଘୋଟାଲା ମାମଲାରେ ଆୟକର ବିଭାଗ ରବର୍ଟ ଭଦ୍ରାଙ୍କୁ ପଚରାଉଚରା କରୁଛି । ରବର୍ଟ ଭଦ୍ରାଙ୍କର ଫାର୍ମ ସନଲାଇଟ୍ ହସ୍ପିଟାଲିଟି ରାଜସ୍ଥାନର ବିକାନେରରେ ଜମି ଘୋଟାଲ କରିଥିବା ନେଇ ଅଭିଯୋଗ ହୋଇଥିଲା । ଭଦ୍ରାଙ୍କ ମାଲିକାନାରେ ଥିବା ସ୍କାଇଲାଇଟ୍ ହସ୍ପିଟାଲିଟି ୬୯.୫୫ ହେକ୍ଟର ଜମି ୭୨ ଲକ୍ଷ ଟଙ୍କାରେ କିଣିଥିଲା ଏବଂ ପୁଣି ଏହାକୁ ଏଲେଗେନି ଫିନଲେଜକୁ ୫.୧୫ କୋଟି ଟଙ୍କାରେ ବିକ୍ରି କରିଥିବା ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରବର୍ଟ ଭଦ୍ରା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ଏବଂ ସେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ବିବାହ କରିଛନ୍ତି । ଆୟକର ବିଭାଗର ବାରମ୍ବାର ନୋଟିସ୍ ପରେ ମଧ୍ୟ ରବର୍ଟ ଭଦ୍ରା ହାଜର ହୋଇନଥିଲେ । କରୋନା ପାଇଁ ସେ ହାଜର ହୋଇନଥିଲେ ବୋଲି କୁହାଯାଉଛି । ଆୟକର ବିଭାଗ ବ୍ୟତୀତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମଧ୍ୟ ଯାଞ୍ଚ କରୁଛି ।






