

ସତ୍ୟଶିଖା(ଚେନ୍ନାଇ)୨୬.୦୨.୨୦୨୧ : ତାମିଲନାଡୁ ସରକାର ସରକାରୀ କର୍ମଚାରୀଙ୍କ ଅବସର ସମୟସୀମାକୁ ବୃଦ୍ଧି କରିଛନ୍ତି । ଏବେ ସରକାରୀ କର୍ମଚାରୀ ୫୯ ବର୍ଷ ବଦଳରେ ୬୦ ବର୍ଷ ବୟସ ମଧ୍ୟରେ ଅବସର ନେଇପାରିବେ । ମୁଖ୍ୟମନ୍ତ୍ରୀ କେ ପଲ୍ଲାନିସ୍ୱାମୀ ରାଜ୍ୟ ବିଧାନସଭାରେ ଏନେଇ ଘୋଷଣା କରିଛନ୍ତି ।ସୂଚନାନୁସାରେ, କେନ୍ଦ୍ର ମନ୍ତ୍ରୀ ଡ, ଜିତେନ୍ଦ୍ର ସିଂ ନିକଟରେ ଏକ ଗୁଜବ ଉପରୁ ପରଦା ହଟାଇଥିଲେ । କେନ୍ଦ୍ର ସରକାର ଅବସର ସମୟସୀମା ହ୍ରାସ କରିବାକୁ ଚାହୁଁଥିବା ଖବରକୁ ସେ ମିଛ ବୋଲି କହିଥିଲେ । ଏହି ଖବରରେ ସତ୍ୟତା ନଥିବା ମଧ୍ୟ ସେ କହିଥିଲେ । ଏପରି କୌଣସି ଯୋଜନା ସରକାରଙ୍କର ନାହିଁ କିମ୍ବା କୌଣସି ପ୍ରସ୍ତାବ ଉପରେ ସରକାର ଆଲୋଚନା କରୁନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଥିଲେ । ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଅନେକ ବ୍ୟକ୍ତି ରୋଜଗାର ହରାଇଥିଲେ । ଏପରିକି ନିଯୁକ୍ତି ସଙ୍କଟ ସୃଷ୍ଟି ହୋଇଥିଲା । ବେସରକାରୀ ସଂସ୍ଥାନରେ କାମ କରୁଥିବା ଅନେକ ବ୍ୟକ୍ତି ଚାକିରୀ ହରାଇଥିଲେ । ଏହାମଧ୍ୟରେ ତାମିଲନାଡୁ ସରକାରଙ୍କ ନଷ୍ପତ୍ତି ସରକାରୀ କର୍ମଚାରୀଙ୍କୁ ଏକ ବଡ ଆଶ୍ୱସ୍ତି ବୋଲି କୁହାଯାଉଛି ।