ସମ୍ବଲପୁରରେ ଗୋଟିଏ ପରିବାରରୁ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା (ସମ୍ବଲପୁର)୦୩.୦୧.୨୦୨୨: ବର୍ଷ ଆରମ୍ଭରୁ ପୁଣି ଥରେ କରୋନା ସଙ୍କଟର କଳାବାଦଲ । ଧୀରେ ଧୀରେ ଗ୍ରାଫ୍‌ ବଢ଼ିବା ସହ ରବିବାର ସମ୍ବଲପୁରରେ ପାଦ ଥାପିଛି ଓମିକ୍ରନ ଭାରିଆଣ୍ଟ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାର ୩ ଜଣ ଏହି ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ଥିବା ନେଇ ଚିହ୍ନଟ ହୋଇଛି। ସାରା ରାଜ୍ୟରେ ୨୩ ଜଣ କୋଭିଡ୍‌ ଆକ୍ରାନ୍ତଙ୍କ ଠାରେ ଓମିକ୍ରନ୍‌ ଭାରିଆଣ୍ଟ ଥିବା ଜଣାପଡ଼ିଛି । ଯେଉଁଥିରେ ସମ୍ବଲପୁର ସହରର ୩ ଜଣ ଅଛନ୍ତି । ସମସ୍ତ ସଂକ୍ରମିତ ଗୋଟିଏ ପରିବାର ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସଂକ୍ରମିତ ହୋଇଥିବା ଏହି ୩ ଜଣ ହେଲେ ଗୋଟିଏ ପରିବାରର ବାପା(୪୩)-ମାଆ(୩୮) ଓ ଜଣେ ଶିଶୁପୁତ୍ର । ଗୋଟିଏ ପରିବାରର ୪ ଜଣ ଗତ ୨୨ ତାରିଖରେ ୟୁନାଇଟେଡ୍‌ କିଙ୍ଗଡମ୍‌(ୟୁକେ)ରୁ ଫେରିଥିଲେ । ବିଦେଶୀ ଫେରନ୍ତାଙ୍କ ଆର୍‌ଟିପିସିଆର୍‌ ବାଧ୍ୟତାମୂଳକ ହୋଇଥିବାରୁ ତାଙ୍କର ଟେଷ୍ଟ ହୋଇଥିଲା । ୪ ଜଣଙ୍କ ମଧ୍ୟରୁ ୩ ଜଣ କରୋନା ପଜିଟିଭ୍‌ ଥିବା ଜଣା ପଡ଼ିବା ପରେ ଜେନମ୍‌ ସିକ୍ୟୁଏନ୍‌ସିଂ ପାଇଁ ଭୁବନେଶ୍ୱର ଆଇଏଲ୍‌ଏସ୍‌କୁ ନମୂନା ପଠାଯାଇଥିଲା । ଯାହାର ପଜିଟିଭ ରିପୋର୍ଟ ରବିବାର ଆସିଥିଲା । ଏନେଇ ଖବର ମିଳିବା ପରେ ସମସ୍ତଙ୍କୁ ବୁର୍ଲା ଭିମ୍‌ସାର୍‌ର ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର କେବିନ୍‌ ବ୍ୟବସ୍ଥା ହୋଇଥିବା ଭିମ୍‌ସାର୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉକ୍ତ ପରିବାରର ୨ ବର୍ଷର ଶିଶୁପୁତ୍ର ମଧ୍ୟ ସେମାନଙ୍କ ସହ ରହିଥିବା ବେଳେ ତାର କୋଭିଡ ରିପୋର୍ଟ ନେଗେଟିଭ୍‌ ରହିଛି । ତେବେ ଆଶ୍ୱସ୍ତିର ବିଷୟ, ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଭିମ୍‌ସାର୍‌ କର୍ତ୍ତୃପକ୍ଷ କହିଛନ୍ତି ।

ଗତ ୨୨ ତାରିଖରେ ସେମାନେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ଆଣ୍ଟିଜେନ୍‌ ଟେଷ୍ଟ୍‌ ପରେ ସମ୍ବଲପୁରରେ ସେମାନଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ୍‌ କରାଯାଇଥିଲା । ଗତ ୧୧ ଦିନ ହେଲା ସେମାନେ ସଙ୍ଗରୋଧରେ ଥିଲେ । ତଥାପି ସେମାନେ କାହା କାହା ସମ୍ପର୍କରେ ଆସିଛନ୍ତି, ସେନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ଭାରପ୍ରାପ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଭରତ ଦାସ କହିଛନ୍ତି । ଏହାସହ ସେ କହିଛନ୍ତି, ଏନେଇ ଡରିବାର ଆବଶ୍ୟକତା ନାହିଁ । ଲୋକ ସତେଚନ ହୁଅନ୍ତୁ । ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ । ଏହାସହ ଯଥା ସମ୍ଭବ ହାତ ସାନିଟାଇଜ୍‌ କରନ୍ତୁ । ଆମେ କରୋନାର ସମସ୍ତ ନିୟମ ମାନି ଚଳିଲେ ବିପଦର ଆଶଙ୍କା କମ୍‌ ବୋଲି ସେ କହିଛନ୍ତି ।

 

Exit mobile version