ସତ୍ୟଶିଖା (ନ୍ୟୁୟର୍କ) ୨/୧୧/୨୦୨୦ : ବିଶ୍ୱ ସ୍ୱାସ୍ଥ ସଂଗଠନ ମୁଖ୍ୟ ନିଜକୁ କ୍ବାରେଣ୍ଟାଇନ୍ କରିଛନ୍ତି । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସେ ରବିବାର ଦିନ କହିଛନ୍ତି ଯେ, ତାଙ୍କର ଜଣେ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କ୍ବାରେଣ୍ଟାଇନ୍ ରେ ରହିଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ, ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଦେଇନାହିଁ ।
ସେ ଆହୁରି ମଧ୍ୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସମସ୍ତ ନିର୍ଦ୍ଦେଶନାମା ପାଳନ କରିବା । ଏହାଦ୍ୱାରା ଆମେ କୋଭିଡ୍ ୧୯ ସଂକ୍ରମଣର ଚେନ୍ କୁ ଭାଙ୍ଗି ପାରିବା । ଭାଇରସ୍ କୁ ରୋକିବା ଏବଂ ସ୍ୱାସ୍ଥ ସେବା ବ୍ୟବସ୍ଥାକୁ ରକ୍ଷା କରିପାରିବା । ମୁଁ ଏବଂ ମୋର ସହକର୍ମୀ ଜୀବନ ବଞ୍ଚାଇବା ଏବଂ ଦୁର୍ବଳ ଲୋକଙ୍କୁ ସୁରକ୍ଷା ଦେବା ନେଇ ମିଳିମିଶି କାମ କରିବା ଜାରି ରଖିବୁ । ସାରା ବିଶ୍ୱରେ ଏବେ ସାଢେ ଚାରି କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇସାରିଲେଣି । ଏହି ପ୍ରାଣଘାତୀ ମହାମାରୀରେ ଏପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । କେବଳ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିବାକୁ ବସିଲାଣି ।