ଦେଶରାଜନୀତିରାଜ୍ୟ

‘ପୁରୁଣା ଆଇନରେ ଦେଶ ବଦଳିବନି’ : ମୋଦୀ

ସତ୍ୟଶିଖା(ନୂଆଦିଲ୍ଲୀ) ୦୮/୧୨/୨୦୨୦ : ଶହେ ବର୍ଷର କେତେକ ପୁରୁଣା ଆଇନ ଏବେ ଦେଶ ପାଇଁ ବୋଝ ପାଲଟିଯାଇଛି । ଆଉ ଦେଶର ବିକାଶ ପାଇଁ ଏହି ସବୁ ଆଇନର ପରିବର୍ତ୍ତନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସୋମବାର ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୁରୁଣା ଆଇନକୁ ନେଇ ନୂଆ ଭାରତ ଗଠନ କରାଯାଇପାରିବ ନାହିଁ । ବିକାଶ ପାଇଁ ସଂସ୍କାର ଜରୁରୀ ଆବଶ୍ୟକ । ନୂଆ ଆଇନ ଦ୍ୱାରା ନୂଆ ସୁଯୋଗ ମିଳିପାରିବ । ଆଗାମୀ ଶହେ ବର୍ଷର ଭାରତ ଗଠନ କରିବାକୁ ହେଲେ ଏହି ପୁରୁଣା ଆଇନକୁ ପରିବର୍ତ୍ତନ କରିବାକୁ ପଡିବ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନି କୃ​‌ଷି ଆଇନ ବିରୋଧରେ କୃଷକମାନେ ଆନ୍ଦୋଳନ ଚଳାଇଥିବାବେଳେ ପ୍ରଧାନମନ୍ତ୍ରୀ ଏପରି କହିଛନ୍ତି । ସେ କହିଛନ୍ତି ଯେ ସଂସ୍କାର ଏକ ଧାରାବାହିକ ପ୍ରକ୍ରିୟା। ବିଗତ ଶହେ ବର୍ଷ ମଧ୍ୟରେ ଯେଉଁ କିଛି ଆଇନ ଭଲ ବିବେଚିତ ହେଉଥିଲା ଏବେ ତାହା ବୋଝ ପାଲଟିଯାଇଛି । ତାଙ୍କ ସରକାର ସାମଗ୍ରୀକ ବିକାଶକୁ ଦୃଷ୍ଟିରେ ରଖି ସଂସ୍କାର ପ୍ରକ୍ରିୟା ଚଳାଇଛନ୍ତି । ପୂର୍ବରୁ ଯେଉଁ ସବୁ ସଂସ୍କାର ହେଉଥିଲା ତାହା ଧୀରେ ଧୀରେ ​‌ଓ କେତେକ ବିଭାଗ ବା କ୍ଷେତ୍ରକୁ ଲକ୍ଷ୍ୟରେ ରଖି କରାଯାଉଥିଲା । ନିକଟ ଅତୀତରେ ଯେଉଁ ସବୁ ସଂସ୍କାର କରାଯାଇଛି ତାହା ଦେଶର ଆତ୍ମବିଶ୍ବାସ ବୃଦ୍ଧି କରିଛି । ସରକାରଙ୍କ ସଂସ୍କାରର ପ୍ରତିଫଳନ ନିକଟରେ ଶେଷ ହୋଇଥିବା କେତେକ ନିର୍ବାଚନରେ ପ୍ରତିଫଳିତ ହୋଇଛି । ଗରିବ ଓ ମଧ୍ୟବିତ୍ତମାନେ ସରକାରଙ୍କ ସଂସ୍କାରକୁ ସମର୍ଥନ ପୂର୍ବକ ବାଲାଟ୍‌ରେ ପ୍ରତିକ୍ରିୟା ଦେଇଛନ୍ତି । ଗରିବ ଓ ମଧ୍ୟବିତ୍ତଙ୍କ ଏହି ସମର୍ଥନ ଆଉ କିଛି ନୂଆ ସଂସ୍କାର ଓ ପଦକ୍ଷେପ ନେବାକୁ ତାଙ୍କୁ ସାହସ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାଙ୍କ ସରକାରଙ୍କ ଦ୍ବାରା ପ୍ରଣୀତ ନୂଆ କୃଷି ଆଇନ ଦ୍ୱାରା କୃଷକ ଓ ଶ୍ରମିକମାନେ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଙ୍କୁ ତ୍ବରିତ ସମାଧାନ ଲାଗି ସରକାର ପଦକ୍ଷେପ ନେଉଛନ୍ତି ।

କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ମଙ୍ଗଳବାର ପାଇଁ ଭାରତ ବନ୍ଦ ଡାକରା ଦେଇଥିବାବେଳେ ସୋମବାର ପ୍ରଧାନମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କୃଷକ ଆନ୍ଦୋଳନ ଉପରେ ପ୍ରତ୍ୟକ୍ଷ ଭାବେ କିଛି କହି ନଥିବାବେଳେ ପରୋକ୍ଷରେ ଏପରି ଟିପ୍ପଣୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରୁଥିବା କୃଷକ ସଂଗଠନଗୁଡିକୁ ନିରାଶ କରିଛି । କୃଷକ ସଂଗଠନର ଏହି ବନ୍ଦ ଡାକରାକୁ ବିରୋଧୀ ରାଜନୈତିକ ଦଳ, ଟ୍ରେଡ ୟୁନିୟନ ଓ ଅନ୍ୟାନ୍ୟ ସଂଗଠନ ସମର୍ଥନ କରିଛନ୍ତି । ଆନ୍ଦୋଳନକାରୀ କୃଷକ ସଂଗଠନ ସହିତ ସରକାର ୫ଥର କଥାବାର୍ତ୍ତା କରିସାରିଥିବାବେଳେ ଏଥିରୁ ସମାଧାନର ବାଟ ବାହାରିପାରି ନାହିଁ ।

Show More
Back to top button