ମାଗଣା ଡାଟା ଲୋଭରେ ଉଡ଼ିଗଲା ୭୫ ହଜାର

ସତ୍ୟଶିଖା (ଭୁବନେଶ୍ୱର) ୦୨/୦୨/୨୦୨୧ : ଏତେ ସଚେତନତା ସତ୍ତ୍ବେ ପୁଣି ଜଣେ ମହିଳା ସାଇବର ଠକଙ୍କ ଜାଲରେ ଫସି ୭୫ ହଜାର ଟଙ୍କା ହରାଇଛନ୍ତି । ମାଗଣା ଡାଟା ମିଳିବା ଲୋଭର ବଶବର୍ତ୍ତୀ ହୋଇ ସେ ଏଭଳି ବଡ଼ଧରଣର ଠକାମିର ଶିକାର ହୋଇଛନ୍ତି । ଏ ନେଇ ଆଜି ଭରତପୁର ଥାନା ଓ ସାଇବର ହେଲ୍‌ପ ଡେସ୍କରେ ଅଭିଯୋଗ ହୋଇଛି ।

ଠକାମିର ଶିକାର ହୋଇଥିବା ମହିଳା ହେଲେ ଟ୍ବିଙ୍କିଲ୍‌ ରଥ। ସେ ଭରତପୁର ଥାନା ଅଧୀନ ବରମୁଣ୍ଡା ଜଗନ୍ନାଥବିହାର କଲୋନିରେ ରହୁଛନ୍ତି । ଶ୍ରୀମତୀ ରଥଙ୍କ ଅଭିଯୋଗ ଅନୁସା‌ରେ, ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍ ଆସିଥିଲା । ଫୋନ୍‌ କରିଥିବା ଲୋକ ଏୟାର୍‌ଟେଲ୍‌ର କର୍ମଚାରୀ ବୋଲି ପରିଚୟ ଦେଇଥିଲା । ‘ଏୟାରଟେଲ୍ ଥ୍ୟାଙ୍କସ୍‌’ ଆପ୍‌ ଜରିଆରେ ରିଚାର୍ଜ କଲେ ୬୦ ଜିବି ଫ୍ରି ଡାଟା ମିଳିବ ବୋଲି ସେ କହିଥିଲା । ଏହା ଏକ ନୂଆ ଅଫର୍‌ ବୋଲି କହି ଶ୍ରୀମତୀ ରଥଙ୍କୁ ପ୍ରଲୋଭିତ କରିଥିଲା । ପ୍ରଥମେ ‘ଏୟାରଟେଲ୍ ଥ୍ୟାଙ୍କସ୍‌’ ଆପ୍‌ ଓ ପରେ ‘କଲ୍ ଏନିଡେସ୍କ’ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କହିଥିଲା । ତା’ ନିର୍ଦେଶ ଅନୁସାରେ ଟ୍ବିଙ୍କିଲ ଦୁଇଟି ଯାକ ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ ଓ ଏନି ଡେସ୍କ୍‌ରେ ଆସିଥିବା ଓଟିପି ନମ୍ବରକୁ ଦେଇଦେଇଥିଲେ । ଏହା ପରେ ଥାର୍ଡ ପାର୍ଟି ପେମେଣ୍ଟ ଆପ୍‌ ଜରିଆରେ ମାତ୍ର ଘଣ୍ଟାଏ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୭୪ ହଜାର ୭୫୯ ଟଙ୍କା କଟି ଯାଇଥିଲ । ଶ୍ରୀମତୀ ରଥ ଉକ୍ତ ଫୋନ୍‌ରେ ଆଉ ଯେତେ କଲ୍‌ କଲେ ବି ଠକ ମୋବାଇଲ୍‌ ସବୁବେଳେ ବନ୍ଦ ଦେଖାଇଥିଲା ।

Exit mobile version