ରାଜ୍ୟସ୍ୱାସ୍ଥ୍ୟ

ଗଞ୍ଜାମରେ ଦିନ ୨ଟାରୁ ତା’ ପରଦିନ ସକାଳ ୫ ଟା ଯାଏ ବନ୍ଦ ରହିବ ଦୋକାନବଜାର

ସତ୍ୟଶିଖା(ଗଞ୍ଜାମ) ୨୮.୦୪.୨୦୨୧: ପୂର୍ବ ବର୍ଷ କରୋନାର କହରକୁ ଆଖି ଆଗରେ ଦେଖିଥିବା ଗଞ୍ଜାମ ଜିଲ୍ଲାବାସୀଙ୍କ ମନରେ ଚଳିତ ବର୍ଷ ବି  କରୋନା ଯୋଗୁ ବି ଛନକା ପଶିଲାଣି। ଜିଲ୍ଲାରେ କରୋନା ଏବେ ଉପରମୁହାଁ ହେବାକୁ ଯାଉଥିବା ବେଳେ ଏହାକୁ ସାଂଘାତିକ ରୂପ ନ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ। ଏଥର ଜିଲ୍ଲା ପ୍ରଶାସନ ସହ କାନ୍ଧ ମିଳାଇଛି ଗଞ୍ଜାମ  ଜିଲ୍ଲାର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ।

ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗଞ୍ଜାମ  ଜିଲ୍ଲାର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ପକ୍ଷରୁ ବଡ଼ ନିଷ୍ପତ୍ତି  ନିଆଯାଇଛି।  ଦ୍ୱିପହର ୨ଟାରୁ ତା’ ପରଦିନ ସକାଳ ୫ ଟା ଯାଏ ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଦୋକାନ ବଜାର ।

ବଜାର ସଂଘର ନିଷ୍ପତ୍ତି ଅନୁଯାୟୀ ସକାଳୁ ଅପରାହ୍ନ ୨ଟା ଯାଏ ସ୍ୱାଭାବିକ ଚାଲିବ ବଜାର । ଏହି ସମୟରେ କିନ୍ତୁ ପଞ୍ଚସୂତ୍ରୀ ନିୟମ ମାନିବାକୁ ହେବ। ଅର୍ଥାତ ସବୁ ଦୋକାନ ସମ୍ମୁଖରେ ବାରିକେଟ କରାଯିବ। ଏହାବ୍ୟତୀତ ଗ୍ରାହକମାନେ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବେ, ସାନିଟାଇଜର ବ୍ୟବହାର କରିବେ, ନିଜର ବିବରଣୀ ଦୋକାନୀଙ୍କୁ ପ୍ରଦାନ କରିବେ।

ଆସନ୍ତା ୧୦ ଦିନ ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲା ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲା । ତେବେ ଏହାକୁ ଆସନ୍ତା ମାସ ୯ ତାରିଖ ଯାଏ ବଳବତ୍ତର ରଖିବାକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ । ଏହି ଅବଧି ଯାଏଁ ଜିଲ୍ଲାର ସହରାଞ୍ଚଳରେ ଦୋକାନ ସମେତ ବଜାର ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି । ବ୍ୟବସାୟୀ ସଂଘର ନିଷ୍ପତ୍ତିକୁ ଜିଲ୍ଲା ପ୍ରଶାସନ ସ୍ୱାଗତ କରିଛି ।  ଲୋକମାନଙ୍କୁ ଏନେଇ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

 

Show More
Back to top button