୫ ବର୍ଷରେ ୯୧ ନକ୍ସଲପନ୍ଥୀ ନିହତ, ୧୦ ପୋଲିସ କର୍ମଚାରୀ ସହିଦ l

ସତ୍ୟଶିଖା (ଭୁବନେଶ୍ୱର) ୦୭.୧୦.୨୦୨୦ : ରାଜ୍ୟରେ ନକ୍ସଲ ମୁକାବିଲା ନେଇ ସରକାର ତଥ୍ୟ ରଖିଛନ୍ତି । ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ନକ୍ସଲ ଆକ୍ରମଣରେ ୮୩ଜଣ ନିହତ ହୋଇଛନ୍ତି । ୨୦୧୫ରୁ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୯୧ଜଣ ନକ୍ସଲପନ୍ଥୀ ପୋଲିସ ସହ ଗୁଳି ବିନିମୟରେ ନିହତ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୨୦ଜଣ ପୋଲିସ୍ କର୍ମୀ ନକ୍ସଲ ହିଂସାକାଣ୍ଡରେ ସହିଦ ମଧ୍ୟ ହୋଇଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ପ୍ରଦାନ କରିଛନ୍ତି ।ଅପରପକ୍ଷେ ଉପରୋକ୍ତ ସମୟ ମଧ୍ୟରେ ରାଜ୍ୟରେ ୧୮୧ଜଣ ନକ୍ସଲ ତଥା ନକ୍ସଲ ସମର୍ଥକ ଆତ୍ମ ସମର୍ପଣ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚଳିତ ଆତ୍ମ ସମର୍ପଣ ଏବଂ ଥଇଥାନ ଯୋଜନା ଅନୁସାରେ ଆତ୍ମ ସମର୍ପଣ କରିଥିବା ନକ୍ସଲ୍ କ୍ୟାଡରମାନଙ୍କର ଥଇଥାନ ନିମନ୍ତେ ଜିଲ୍ଲାସ୍ତରୀୟ ଥଇଥାନ କମିଟିର ସୁପାରିଶ ଅନୁସାରେ ସହାୟତା ମଞ୍ଜୁର କରାଯାଇଛି । ଆତ୍ମ ସମର୍ପଣ କରିଥିବା ନକ୍ସଲମାନଙ୍କୁ ଶ୍ରେଣୀ ଭିତ୍ତିରେ ୧ ଲକ୍ଷ ୫୦ ହଜାର ଟଙ୍କାରୁ ୨ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଉଛି ।
ସେହିପରି ଇନ୍ଦିରା ଆବାସ ଯୋଜନା ଅନୁସାରେ ଗୃହ ନିର୍ମାଣ ପାଇଁ ସହାୟତା ମଧ୍ୟ ଦିଆଯାଉଛି । ରାଜ୍ୟ ସରକାରଙ୍କ ଥଇଥାନ ଓ ପୁନର୍ବାସ ଯୋଜନାରେ ୪ ଡେସିମିଲ୍ ବାସୋପଯୋଗୀ ଜମି ବା ସେହି ପରିମାଣର ଟଙ୍କା ମିଳିବ । ଅସ୍ତ୍ରଶସ୍ତ୍ର ସହିତ ଆତ୍ମ ସମର୍ପଣ କଲେ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ଏଳଭି ବହୁ ଯୋଜନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି ।