
ସତ୍ୟଶିଖା ୨୮/୦୧/୨୦୨୧ : ଗୃହ ମନ୍ତ୍ରାଳୟ ବୁଧବାର ଫେବ୍ରୁଆରି ମାସ ପାଇଁ କରୋନା ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଫେବ୍ରୁଆରି ୧, ୨୦୨୧ଠାରୁ କାର୍ଯ୍ୟକାରୀ ହେବ ଏବଂ ଫେବ୍ରୁଆରି ୨୮, ୨୦୨୧ପର୍ଯ୍ୟନ୍ତ ବଳବତ୍ତର ରହିବ। ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ, ନିର୍ଦ୍ଦେଶାବଳୀଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ସଂକ୍ରମଣ ରୋକିବାରେ ଦେଶ ହାସଲ କରିଥିବା ସଫଳତାକୁ ଆହୁରି ମଜବୁତ କରିବା । ଏବେ କରୋନା କଟକଣା ପାଇଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଗକୁ ମଧ୍ୟ ସତର୍କ ରହି ଏବଂ କଟକଣା ମାନି ଚଳିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନରେ ରଖି କଣ୍ଟେନମେଣ୍ଟ ଜୋନଗୁଡିକ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ବାରା ପୃଥକ କରାଯିବ । ନିର୍ଦ୍ଦିଷ୍ଟ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ଧାର୍ଯ୍ୟ କରାଯାଇଥିବା ଗାଇଡଲାଇନ କଠୋର ଭାବରେ ପାଳନ କରାଯିବ । ନିର୍ଦ୍ଦିଷ୍ଟ କଣ୍ଟେନମେଣ୍ଟ ଜୋନରେ କଟକଣା କଡାକଡି ଭାବରେ ପାଳନ କରାଯାଉଛି କି ନାହିଁ ତାହା ସ୍ଥାନୀୟ ଜିଲ୍ଲା, ପୁଲିସ ଏବଂ ପୌରପାଳିକା କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ଏହା ସହ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏହି ପ୍ରସଙ୍ଗରେ ସମ୍ପୃକ୍ତ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ନିଶ୍ଚିତ କରିବେ ।ତେବେ କଣ୍ଟେନମେଣ୍ଟ ଜୋନ୍ ବାଦ୍ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ, ମନୋରଞ୍ଜନ ଧର୍ମୀ କାମ ଏସଓପି ଅନୁଯାୟୀ ଜାରି ରହିବ । ତା’ ସହ ସିନେମା ହଲ୍, ଥିଏଟର ପାଇଁ ପୂର୍ବରୁ ଜାରି କରାଯାଇଥିବା ଏସଓପିରେ ପରିବର୍ତ୍ତନ ଅଣାଯାଇ ନୂଆ ଏସଓପି ଜାରି କରାଯିବ ବୋଲି କୁହାଯାଇଛି । ପୂର୍ବରୁ ସିନେମା ହଲ୍ ଏବଂ ଥିଏଟରରେ ୫୦% ବସିବା କ୍ଷମତା ପାଇଁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ ବସିବା କ୍ଷମତା ବଢ଼ାଇବା ପାଇଁ ଅନୁମତି ଦିଆଯିବ । ଏନେଇ ଗୃହ ମନ୍ତ୍ରାଳୟର ପରାମର୍ଶ ନେଇ ନୂଆ ଏସଓପି ଜାରି କରିବ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ।
ପୂର୍ବରୁ କ୍ରୀଡା ବ୍ୟକ୍ତିବିଶେଷଙ୍କ ବ୍ୟବହାର ପାଇଁ ସୁଇମିଂ ପୁଲକୁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ ସମସ୍ତଙ୍କ ବ୍ୟବହାର ପାଇଁ ସୁଇମିଂ ପୁଲକୁ ଅନୁମତି ଦିଆଯିବ, ଯେଉଁଥିପାଇଁ ଗୃହ ମନ୍ତ୍ରାଳୟ ସହିତ ପରାମର୍ଶ କରି ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଳୟ ଏକ ସଂଶୋଧିତ ଏସଓପି ପ୍ରଦାନ କରିବ । ସେହିପରି ସମସ୍ତ ପ୍ରକାରର ପ୍ରଦର୍ଶନୀ ହଲ୍ ମଧ୍ୟ ଗୃହ ମନ୍ତ୍ରାଳୟର ନିୟମ ଅନୁଯାୟୀ ଖୋଲିପାରିବ । ବିଜିନେସ୍ ଟୁ ବିଜିନେସ୍ (ବିଟୁବି) ପ୍ରଦର୍ଶନୀ ହଲ୍ ଗୁଡିକୁ ପୂର୍ବରୁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ ସମସ୍ତ ପ୍ରକାର ପ୍ରଦର୍ଶନୀ ହଲକୁ ଅନୁମତି ଦିଆଯିବ, ଯେଉଁଥିପାଇଁ ବାଣିଜ୍ୟ ବିଭାଗ ଗୃହ ମନ୍ତ୍ରାଳୟ ସହିତ ପରାମର୍ଶ କରି ଏକ ସଂଶୋଧିତ ଏସଓପି ଜାରି କରିବ ।
ଆନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ବିମାନ ସଂଖ୍ୟା ବଢ଼ାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଗୃହର ମନ୍ତ୍ରାଳୟ ସହିତ ପରାମର୍ଶ କରି ନିଷ୍ପତ୍ତି ନେବ । ଅନ୍ୟପଟେ ରାଜ୍ୟ-ରାଜ୍ୟ ଭିତରେ କିମ୍ବା ରାଜ୍ୟ ବାହାରେ ସମସ୍ତ ପ୍ରକାରର ଯାତାୟତକୁ କଟକଣାମୁକ୍ତ କରାଯାଇଛି । ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ବି ଗାଇଡଲାଇନକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।