

ସତ୍ୟଶିଖା( ଭୁବନେଶ୍ୱର )୩୦.୦୬. ୨୦୨୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଦୁବାଇରେ ଆୟୋଜିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରତିଶ୍ରୁତି ମିଳିଛି । ଦୁବାଇର ବିଜିନେସ୍ ବେ’ ସ୍ଥିତ ଓବରେଇ ହୋଟେଲରେ ଫିକ୍କି ସହଯୋଗରେ ଏହି ଇନଭେଷ୍ଟର୍ସ ମିଟ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ମୁଖ୍ୟ ସଚିବ, ଶିଳ୍ପ ସଚିବ ଓ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିଥିବା ଅନେକ ଶିଳ୍ପପତି ସାମିଲ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଦୁବାଇର ଏନବିଟିସି କୁଏତ କମ୍ପାନୀ ୫ହଜାର କୋଟି ଟଙ୍କା ନିବେଶ କରି ଓଡ଼ିଶାରେ ଏକ ସାର କାରଖାନା ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇଛି । ଏହା ଦ୍ୱାରା ଓଡ଼ିଶାରେ ୪ହଜାର ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେହିପରି ଆବୁଧାବିସ୍ଥିତ ଟବ୍ରିଡ୍ ଗ୍ରୁପ୍ ଏକ ହଜାର ଟଙ୍କା ଭୁବନେଶ୍ୱରର ଆଇସିଟି କ୍ୟାମ୍ପସରେ ନିବେଶ କରିବ । ସେହିପରି ଲୁଲୁ ଇଂଟରନ୍ୟାସନାଲ ସପିଂ ମଲ୍ ଓଡ଼ିଶାରେ ୧୫୦୦କୋଟି ଟଙ୍କା, ଆରବ ଇଣ୍ଡିଆ ସ୍ପାଇସେସ୍ ଏଲସିସି ୫୦କୋଟି ଟଙ୍କା, ଶୋଭା ରିୟଲିଟି ୫ହଜାର କୋଟି ଟଙ୍କା, ସରାଫ ଗ୍ରୁପ୍ ହିନ୍ଦ ଟର୍ମିନାଲ ୭୫୦କୋଟି ଟଙ୍କା, ହିନ୍ଦୁସ୍ତାନ ପୋର୍ଟସ ପ୍ରାଃ ଲିଃ ୮ହଜାର କୋଟି ଟଙ୍କା, ଟ୍ୱୋଂଟି ୧୪ ହୋଲ୍ଡିଙ୍ଗସ ୫୦୦କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।