କଟକରେ ଚାଇନିଜ ମାଞ୍ଜା ସୂତା ବିକ୍ରି ଉପରେ ଲାଗିଲା କଟକଣା

ସତ୍ୟଶିଖା (କଟକ) ୧୩/୦୧/୨୦୨୧ : ଆସନ୍ତାକାଲି ମକର ସଂକ୍ରାନ୍ତି । ଏହି ଦିନ ଲୋକେ ମକର ଚାଉଳ ଖାଇବା ସହ ଗୁଡ଼ି ଉଡ଼ାଇଥାନ୍ତି । ତେବେ ଗୁଡ଼ିରେ ଲାଗୁଥିବା ଚାଇନିଜ ମାଞ୍ଜା ସୂତା ପାଇଁ ଅନେକ ଦୁର୍ଘଟଣା ଘଟୁଥିବାରୁ ଏହାର ବିକ୍ରି ଉପରେ କଟକଣା ଲଗାଇଛନ୍ତି କଟକ ମହାନଗର ନିଗମ(ସିଏମସି) । ଏହାର ବିକ୍ରି ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିବା ସହ ସହରର ବିଭିନ୍ନ ଦୋକାନ ଯାଞ୍ଚ ପାଇଁ ୩ଟି ଟିମ ଗଠନ କରାଯାଇଛି । ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି ।ସୂଚନା ମୁତାବକ, ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଉଥିବା ସମୟରେ ଅଘଟଣ ଘଟିଥିବାର ଖବର ମିଳିଥାଏ । ଗୁଡ଼ି ଉଡ଼ାଇବା ସମୟରେ ଗୁଡ଼ିର ମାଞ୍ଜା ସୂତାରେ କଟି ପକ୍ଷୀ ଓ ଅନେକ ସମୟରେ ଲୋକଙ୍କ ଜୀବନହାନି ଘଟିଥାଏ । ଏହାକୁ ଦୃଷ୍ଟିରେ ରଖି ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ସିଏମସି ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି । ବିଶେଷ କରି ଚାଇନିଜ ମାଞ୍ଜା ସୂତା ଏବଂ କାଚଗୁଣ୍ଡ ମାଞ୍ଜା ଦିଆଯାଇଥିବା ସୂତାର ବ୍ୟବହାର ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି ସିଏମସି ।