

ସତ୍ୟଶିଖା ( ବୁର୍ଲା ) ୩୦ /୧୧ /୨୦୨୧: ବୁର୍ଲା ଭିମସାରରେ ଆହୁରି ୧୧ଜଣ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହାଫଳରେ ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ଏନେଇ ଭିମସାର୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଅପରପକ୍ଷେ ଶୁକ୍ରବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ସଂକ୍ରମଣ ପ୍ରସଂଗରେ ଆଲୋଚନା କରିଥିଲେ। ଏହାପରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ଭିଡିଓ କନ୍ଫରେନ୍ସିଂରେ ଭିମସାରର ସମସ୍ତ ପ୍ରମୁଖ ପଦାଧିକାରୀଙ୍କ ସହ ସଂକ୍ରମଣ ରୋକିବା ଓ ପରବର୍ତ୍ତୀ ସତର୍କତାମୂଳକ ପଦକ୍ଷେପ ଗୁଡ଼ିକ ସଂପର୍କରେ ଆଲୋଚନା କରିଥିଲେ। ସଂକ୍ରମଣ ରୋକିବାକୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଭିମସାର୍ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ମଧ୍ୟ କରୋନା କଟକଣା କଡ଼ାକଡ଼ି ପାଳନ କରିବା, ସଂକ୍ରମଣ ନ ବଢ଼ିବା ପାଇଁ ଯାହା ଆବଶ୍ୟକ କରିବାକୁ ପରାମର୍ଶ ଦେବା ସହ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ଗତ ୧୩ ଓ ୧୪ ତାରିଖରେ ଭିମସାରରେ ଆୟୋଜିତ ଛାତ୍ର ସଂସଦ ବାର୍ଷିକ ଉତ୍ସବ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିଥିଲା। ଏକଦା ଶୂନର ନିମ୍ନତମ ସ୍ତରକୁ ପହଞ୍ଚି ସାରିଥିବା ସମ୍ବଲପୁର ଜିଲ୍ଲାର ଦୈନିକ ସଂକ୍ରମଣ ହଠାତ୍ ଊର୍ଧ୍ବଗାମୀ ହୋଇଥିଲା। ଏହା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା।