୫ ଜିଲ୍ଲାରେ ଲୋକଙ୍କୁ କଲବଲ କରୁଛି ବଢ଼ି ପାଣି

ସତ୍ୟଶିଖା( ନୟାଗଡ଼/ବରଗଡ଼/ବୌଦ୍ଧ/ସୋନପୁର/କଟକ/ଆଠଗଡ଼ )୧୬.୦୮ . ୨୦୨୨: ୫ ଜିଲ୍ଲାରେ ଲୋକଙ୍କୁ କଲବଲ କରୁଛି ବଢ଼ି ପାଣି। ନଦୀରେ ବନ୍ୟା ପାଣି ଯେତିକି ବଢ଼ୁଛି, ନଦୀକୂଳିଆ ଲୋକଙ୍କ ଦୁଃଖ ସେତିକି ବଢ଼ି ଚାଲିଛି। ନୟାଗଡ଼, ବରଗଡ଼, ବୌଦ୍ଧ, ସୋନପୁର, କଟକ ଜିଲ୍ଲାର ଅନେକ ସ୍ଥାନରେ ବନ୍ୟା ପାଣି ବ୍ରିଜ୍ ଓ ରାସ୍ତା ଉପରେ ଚାଲିବାରୁ ଯୋଗାଯୋଗ ବିଚ୍ଛନ୍ନ ହୋଇଛି। ଘରେ ପଶିବାରୁ ଲୋକେ ଘର ଛାଡ଼ି ବନ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗେଞ୍ଜିଛନ୍ତି।

ଆଜି ସନ୍ଧ୍ୟା ପରେ ନୟାଗଡ଼ର ଭାପୁରର କାଳିଗିରି ବ୍ରିଜ ଉପରେ ୪ ଫୁଟର ବନ୍ୟାଜଳ ଚାଲୁଛି। ଫଳରେ ଭାପୁର-କଳାପଥର ଭିତରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ମହାନଦୀରେ ଜଳସ୍ତର ବଢିବାରୁ କାଳିଗିରି ବ୍ରିଜ ବୁଡ଼ିଛି। ସେପଟେ ବନ୍ୟା ବଢ଼ିବା ଯୋଗୁ ବାଙ୍କୀର ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସେହିପରି ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା। ବନ୍ୟା ପାଣିରେ ଭୁବୁଟୁବୁ ସୋନପୁରର ବିନିକା। ବର୍ଷା ଓ ବଢ଼ି ପାଣିରେ ଏକାକାର ବୌଦ୍ଧ ଜିଲ୍ଲାର ହରଭଙ୍ଗା। ସୋନପୁରରେ ଘୁ ଘୁ ଶବ୍ଦ ସହ ସୁଅ କାଟି ମାଡ଼ି ଚାଲିଛି ମହାନଦୀ।

ବରଗଡ଼ ଜିଲ୍ଲାର ଆମ୍ଭାଭୋନା ଚିଖିଲି ଗାଁଦାଣ୍ଡ, ରାସ୍ତାଘାଟ, ଜମିବାଡ଼ି ସବୁ ଏକାକାର। ମନ୍ଦିର ବୁଡ଼ିଛି, ସ୍କୁଲ ବୁଡ଼ିଛି। ଗାଁ ମଝିରେ ୬ଫୁଟର ପାଣି ଲହଡ଼ି ଭାଙ୍ଗୁଛି। ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା। କଚା ଘରେ ରହୁଥିବା ଲୋକମାନେ ଭୟରେ ନିରାପଦ ସ୍ଥାନକୁ ପଳାଉଛନ୍ତି। ନିଜେ ଅତିରିକ୍ତ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିବା ସହ ହଜାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି କହିଛନ୍ତି।

ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅନ୍ତର୍ଗତ ଜଗନ୍ନାଥ ସଡ଼କ ଉପରେ ୧୦ ଫୁଟ୍ ପାଣି ଚାଲୁଛି। ତେଣୁ ୩ଦିନ ହେଲା ହରଭଙ୍ଗା-ବୌଦ୍ଧ ଯୋଗାଯୋଗ ବିଛିନ୍ନ ହୋଇଛି। ୧୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ହଜାର ହଜାର ହେକ୍ଟର ଜମି ବନ୍ୟା ପ୍ଲାବିତ ହୋଇଛି। ସେମିତି ସୋନପୁରରେ ବି ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ରୁଦ୍ର ରୂପଧରି ବୋହି ଚାଲିଥିବା ଫୁଲନ୍ତା ମହାନଦୀ ଅନେକ ସ୍ଥାନରେ କୂଳ ଖାଇ ଗାଁ ଗଣ୍ଡାରେ ପଶିଛି ଓ ରାସ୍ତା ବୁଡ଼ାଇ ନେଇଛି। ସୋନପୁର-ସମ୍ବଲପୁର ରାସ୍ତାର ମାଳତୀଯୋର ସେତୁ ବୁଡ଼ିଥିବାରୁ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍। ସେହିପରି ଘୁଙ୍ଗିଯୋର ପୋଲ ଉପରେ ୪ ଫୁଟ୍ ବନ୍ୟାଜଳ ଚାଲି ଥିବାରୁ ବୀରମହାରାଜପୁରକୁ ବି ପହଞ୍ଚିବା ଅସମ୍ଭବ। ଉଲୁଣ୍ଡା ବ୍ଲକର ୧୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇଛି।

Exit mobile version