

ସତ୍ୟଶିଖା(ଭୁବନେଶ୍ୱର) ୦୧.୦୭.୨୦୨୧: ଦୀର୍ଘଦିନର ବ୍ୟବଧାନ ପରେ ପ୍ରଥମଥର ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଉପରେ ତାଙ୍କ ଦଳର ଜଣେ ବରିଷ୍ଠ ଉପସଭାପତି ତଥା ୭ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।
ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଓ ଡାକ୍ତର ଦାମୋଦର ରାଉତଙ୍କ ପରେ ବିଜେଡିରେ ଥାଇ ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବାର ସାହସ ଦେଖାଇଥିବା ସୌମ୍ୟରଞ୍ଜନ ଅବଶ୍ୟ ଏକ ଦୈନିକ ସମ୍ବାଦପତ୍ରର ସମ୍ପାଦକ ଭାବେ ନିଜର ମତ ରଖିଛନ୍ତି। କର୍ମୀ ଓ ସାଧାରଣ ଲୋକଙ୍କଠୁ ଦୂରେଇ ରହି ନବୀନ ହାତଗଣତି ରାଜନେତା ଓ ପ୍ରଶାସକଙ୍କ ଗହଣରେ ରହୁଥିବା, ରାଜ୍ୟର ପ୍ରଶାସନିକ କାର୍ଯ୍ୟର ଖବର ତାଙ୍କ ପାଖରେ ପହଂଚୁ ନଥିବା, ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯାଇ ସତ୍ୟ ଓ ସମାଲୋଚନାକୁ ଚପାଇ ଦିଆଯାଉଥିବା ଭଳି କିଛି ଗୁମର ଦିଗକୁ ଇଙ୍ଗିତ କରି ସୌମ୍ୟ ପରୋକ୍ଷରେ ଦଳ, ସୁପ୍ରିମୋ ଓ ସରକାରର ପରିଚାଳନାଶୈଳୀ ଉପରେ ବି ପ୍ରଶ୍ନଚିହ୍ନ ଲଗାଇଛନ୍ତି।
ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ତାଙ୍କ ମାଲିକାନାରେ ଥିବା ଦୈନିକ ‘ସମ୍ବାଦ’ରେ ଆଜି ଆମ ଘରର ହାଲଚାଲ ସ୍ତମ୍ଭରେ ‘ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି ?’ରେ ଯାହା ଲେଖିଛନ୍ତି ସେଥିରେ କୋଭିଡ୍ ପରିଚାଳନା ଓ କୋଭିଡଜନିତ ମୃତ୍ୟୁକୁ ଲୁଚାଇବା ପାଇଁ ପ୍ରଶାସନିକ ସ୍ତରରେ ହେଉଥିବା ପ୍ରୟାସକୁ ଉଲ୍ଲେଖ କରିଛନ୍ତି। କିନ୍ତୁ ଏହି କଥା କହିବାକୁ ଯାଇ ସୌମ୍ୟ ଗତ କିଛିବର୍ଷ ଧରି ରାଜ୍ୟରେ ବିଶେଷକରି ବିଜେଡି ଓ ସରକାରର ଅନାଲୋଚିତ ଦିଗକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।
ସୌମ୍ୟଙ୍କ ମତରେ ୨୫ ବର୍ଷ ତଳେ ରାଜନୀତିରେ ସମ୍ପୂର୍ଣ୍ଣ ଅପରିଚିତ ନବୀନ ନିରବଚ୍ଛିନ୍ନ ଭାବେ ଓଡ଼ିଶାର ଶାସନ କ୍ଷମତାରେ ରହିବା ଓ ପ୍ରତିଥର ଅଧିକ ଜନସମର୍ଥନ ପାଇବା ନିଶ୍ଚିତ ଭାବେ ସ୍ୱାଧୀନ ଭାରତରେ ଏକ ଅଲୌକିକ ସଫଳତା। ଅନାହାର ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ନବୀନଙ୍କୁ ଜାତୀୟ ଓ ବିଶ୍ୱସ୍ତରରେ ମିଳୁଥିବା ପ୍ରଶଂସା କଥା ଉଲ୍ଲେଖ କରି ସୌମ୍ୟ ସିଧାସଳଖ ରାଜ୍ୟରେ କୋଭିଡଜନିତ ମୃତ୍ୟୁକୁ ନେଇ ପ୍ରଶାସନିକ ସ୍ତରରେ ପରିସଂଖ୍ୟାନର ଖେଳକୁ ଦର୍ଶାଇଛନ୍ତି।
ରାଜ୍ୟ ସରକାର କୋଭିଡଜନିତ ମୃତ୍ୟୁକୁ ଲୁଚାଇ ଥିବା ତଥା ପ୍ରଶାସନିକ ତ୍ରୁଟି ଓ ଅବହେଳା ଯୋଗୁ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ଦେଖାଦେଇଛି ବୋଲି ସୌମ୍ୟ ଅଭିଯୋଗ କରିବା ସହ କଳେବଳେ କୌଶଳେ ପ୍ରଥମ ହେବାର ନିଶା ଓ ଅତୀତର ସଫଳତାର ଅହଙ୍କାର ଏହି ତ୍ରୁଟି ପାଇଁ ଦାୟୀ ବୋଲି କହିଛନ୍ତି। ସୌମ୍ୟଙ୍କ ଏହି କଥା ହିଁ ଓଡ଼ିଶା ସରକାର ତଥା ନବୀନଙ୍କୁ ମିଳିଥିବା ପ୍ରଶଂସାର ବାସ୍ତବ ରହସ୍ୟକୁ ପଦାରେ ପକାଇ ଦେଇଛି। ପ୍ରଶାସନ ଏବେ କାହା ଇଙ୍ଗିତରେ ଚାଲୁଛି ତାହା ରାଜ୍ୟବାସୀ ଜାଣନ୍ତି। କଳେବଳେ କୌଶଳେ ପ୍ରଥମ ହେବାର ନିଶା କଥା କହି ସୌମ୍ୟ ପରୋକ୍ଷରେ ଏଭଳି ଏକ ଦିଗକୁ ଇଙ୍ଗିତ କରିଛନ୍ତି ଯାହା ନବୀନ ସରକାରର ଏପର୍ଯ୍ୟନ୍ତ ସଫଳତାର ପ୍ରମାଣପତ୍ର ଉପରେ କଳାଦାଗ ବି ଲଗାଇ ଦେଇଛି।