

ସତ୍ୟଶିଖା ( ନୂଆଦିଲ୍ଲୀ ) ୨୦/୦୨/୨୦୨୧ : ଶନିବାର ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଅଧ୍ୟକ୍ଷତା କରିବେ । ଭିଡିଓ କନଫରେନ୍ସିଂରେ ସକାଳ ୧୦ଟା ୩୦ରୁ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ଷଷ୍ଠ ବୈଠକ ଆୟୋଜିତ ହେବ । ବୈଠକରେ କୃଷି, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ସ୍ୱାସ୍ଥ୍ୟ ଓ କୁପୋଷଣ ଉପରେ ଆଲୋଚନା କରାଯିବ । ଏହାସହ ଗତ ବୈଠକରେ ଦିଆଯାଇଥିବା ଟାର୍ଗେଟ୍ ଉପରେ ମଧ୍ୟ ସମୀକ୍ଷା କରାଯିବ । ଶନିବାରର ବୈଠକରେ ବିଭିନ୍ନ ପ୍ରସଙ୍ଗ ସହ ଆଗତ ହୋଇଥିବା ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।
ନୀତି ଆୟୋଗର ଏହି ବୈଠକରେ କିନ୍ତୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ସାମିଲ ହେବେ ନାହିଁ । ସେ ଅସୁସ୍ଥ ଥିବାରୁ ବୈଠକରେ ସାମିଲ ହୋଇପାରିବେ ନାହିଁ । ତାଙ୍କ ସ୍ଥାନରେ ଅର୍ଥମନ୍ତ୍ରୀ ସାମିଲ ହେବେ । ଅର୍ଥମନ୍ତ୍ରୀ ମନପ୍ରିତ ସିଂ ବାଦଲ ତାଙ୍କ ସ୍ଥାନରେ ବୈଠକରେ ଭାଗ ନେବେ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବୈଠକରେ ସାମିଲ ହେବେ ନାହିଁ ବୋଲି ଶୁଣିବାକୁ ମିଳୁଛି ।
ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ନିୟମିତ ଭାବେ ବସିଥାଏ । ଏହା ଆୟୋଗର ଷଷ୍ଠ ବୈଠକ ହେବ । ଯେଉଁଥିରେ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ, କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳ, ଅନେକ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଯୋଗଦେବେ । ବୈଠକରେ ପ୍ରଥମ ଥର ଲଦାଖ ସାମିଲ ହେବ । କେନ୍ଦ୍ର ଶାସିତ ପ୍ରଦେଶ ଭାବେ ଜମ୍ମୁ-କାଶ୍ମୀରର ମଧ୍ୟ ପ୍ରଥମ ଥର ସାମିଲ ହେବ । ଏହି ଦୁଇ କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।