ନ୍ୟୁଜ୍ରାଜ୍ୟ

ନିଜ ସର୍ଭିସ୍‌ ରିଭଲଭରରୁ ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ

ସତ୍ୟଶିଖା (ବ୍ରହ୍ମପୁର) ୨୫.୦୩.୨୦୨୨: ଗୁଳି ଫୁଟି ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟିଛି। ତାହା ପୁଣି ନିଜ ସର୍ଭିସ୍‌ ରିଭଲଭରରୁ ଗୁଳି ଫୁଟିଥିବା ଆଲୋଚନା ହେଉଛି। ଆଜି ମଧ୍ୟାହ୍ନରେ ଏପରି ହୃଦୟବିଦାର ଘଟଣା ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପରିସରରେ ଘଟିଛି।ଆଇଆଇସିଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି।

ଆଜି ମଧ୍ୟାହ୍ନରେ ଥାନା ଗାଙ୍ଗପୁର ଥାନା ଅଧିକାରୀ ଦେବକୁମାର ଗମାଙ୍ଗ ଖାଇବା ପାଇଁ ନିଜ କ୍ୱାର୍ଟର୍ସକୁ ଯାଇଥିଲେ। ଠିକ୍‌ ସମୟରେ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ମିଳିଥିଲା। ଥାନା ପରିସରରେ ଗୁଳି କେଉଁଠି ଫୁଟିଲା ଭାବି ଅନ୍ୟ କର୍ମଚାରୀମାନେ ଚାରିଆଡ଼େ ଖୋଜିଥିଲେ। ଏହି ସମୟରେ ଶ୍ରୀ ଗମାଙ୍ଗ ନିଜ କ୍ୱାର୍ଟର୍ସରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଶ୍ରୀ ଗମାଙ୍ଗ ଅଣ୍ଟା ତଳକୁ ଦୁଇ ରାଉଣ୍ଡ ଗୁଳି ବାଜିଥିଲା। ପ୍ରବଳ ରକ୍ତଶ୍ରାବ ହେଉଥିଲା। ଏହା ଦେଖି ପୁଲିସ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତେବେ କେଉଁ ପରିସ୍ଥିତିରେ ତାଙ୍କ ଦେହରେ ଗୁଳି ବାଜିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଶୁଣିବାକୁ ମିଳୁଛି, ଆଇଆଇସି ଶ୍ରୀ ଗମାଙ୍ଗଙ୍କ ନିଜ ସର୍ଭିସ୍‌ ରିଭଲଭରରୁ ଗୁଳି ଫୁଟି ମୃତ୍ୟୁ ହୋଇଛି। ଅସାବଧାନତା ଯୋଗୁ ଅଣ୍ଟା ପାଖରେ ଥିବା ସର୍ଭିସ୍‌ ରିଭଲଭର ଚାଲିଥିବା ଆଲୋଚନା ହେଉଛି।

ଶ୍ରୀ ଗମାଙ୍ଗ ୪ ମାସ ତଳେ ଗାଙ୍ଗପୁର ଥାନାକୁ ବଦଳି ହୋଇ ଆସିଥିଲେ। କିନ୍ତୁ ସେ ସବୁବେଳେ ଅନ୍ୟମନସ୍କ ରହୁଥିବା ଆଲୋଚନା ହେଉଛି। ତେବେ କେଉଁ କାରଣ ପାଇଁ ସେ ଅନ୍ୟମନସ୍କ ରହୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ସେପଟେ ଶ୍ରୀ ଗମାଙ୍ଗଙ୍କ ମାନସିକ ଦୁଶ୍ଚିତାରେ ରହୁଥିବା କଥାକୁ ସ୍ୱୀକାର କରିଛନ୍ତି ଗଞ୍ଜାମ ଏସ୍‌ପି। ସେ କହିଛନ୍ତି, କିଛି ଦିନ ହେଲାଣି ସେ(ଶ୍ରୀ ଗମାଙ୍ଗ) ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ତେବେ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଏସ୍‌ପି କହିଛନ୍ତି।

Show More
Back to top button