Uncategorizedଦେଶଶିକ୍ଷା

ଦଶମରେ ଗଣିତ ନ ଥିଲେ +୨ରେ ବିଜ୍ଞାନ, ବାଣିଜ୍ୟ ପଢ଼ିବା ମନା !

ସତ୍ୟଶିଖା(ନୂଆଦିଲ୍ଲୀ ) ୨୨.୦୯ .୨୦୨୧:  ଦଶମ ଶ୍ରେଣୀରେ ଗଣିତ ବିଷୟରେ ଶିକ୍ଷା‌ ଗ୍ରହଣ କରି ନ ଥିଲେ ଯୁକ୍ତ୨ରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ ନାହିଁ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ଚାଲିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ଏକ ଅଜବ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା ସିଆଇଏସ୍‌ସିଇ, ସିବିଏସ୍‌ଇ ବୋର୍ଡ ଅଧୀନରେ ଦଶମ ପାସ୍‌ କରିଥିବା ବହୁ ଛାତ୍ରଛାତ୍ରୀ ଯୁକ୍ତ୨ରେ ନାମଲେଖାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଆଗରୁ କୌଣସି ସୂଚନା ନ ଦେଇ ହଠାତ୍‌ ଏଭଳି ନିୟମ ପ୍ରଣୟନ କରାଯିବା ଦ୍ବାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ବିଶେଷକରି ଉପାନ୍ତ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଏବେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ରାଜ୍ୟ ସରକାର ତୁରନ୍ତ ଏଭଳି ଘଟଣାରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଶିକ୍ଷାବିତ ଓ ଅଭିଭାବକ ଦାବି କରିଛନ୍ତି ।

ସରକାରଙ୍କ ଏଭଳି ନିୟମ ଦ୍ବାରା କୋରାପୁଟ ଜିଲ୍ଲା ଜୟପୁରର ଜଣେ ଛାତ୍ର ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି । ସିଆଇଏସ୍‌ସିଇ ବୋର୍ଡ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ର ଜଣକ ଇଂରାଜୀରେ ୮୫%, ହିନ୍ଦୀରେ ୯୦%, ଇତିହାସରେ ୮୬%, କମର୍ସିଆଲ୍‌ ଷ୍ଟଡିଜ୍‌ରେ ୯୮%, ଅର୍ଥନୀତିରେ ୮୮% ଓ ଫିଜିକାଲ ସାଇନ୍ସ‌ରେ ୯୯% ମାର୍କ ରଖି ଗ୍ରେଡ୍‌-ଏରେ କୃତକାର୍ଯ୍ୟ ହୋଇଛନ୍ତି। ସବୁଥିରେ ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ସେ ଯୁକ୍ତ୨ ବିଜ୍ଞାନ ବିଭାଗରେ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ବିଜ୍ଞାନ ବିଭାଗରେ ନାମ ଲେଖା‌ଇବାକୁ ତାଙ୍କୁ ସୁଯୋଗ ଦିଆଯାଇ ନାହିଁ। ଏହା ଏକ ଉଦାହରଣ ମାତ୍ର। ଏଭଳି ଅନେକ ଛାତ୍ରଛାତ୍ରୀ ଏବେ ସରକାରଙ୍କ ନୂଆ ନିୟମର ଶିକାର ହୋଇଛନ୍ତି ।

Show More
Back to top button