ସତ୍ୟଶିଖା ୧୨ .୦୯.୨୦୨୦ : ଆଇସିଏମ୍ଆର୍ ଦ୍ୱାରା କରାଯାଇଥିବା ଦେଶର ପ୍ରଥମ ଜାତୀୟସ୍ତରର ସେରୋ ସର୍ଭେ ରିପୋର୍ଟ୍ ପ୍ରକାଶ ପାଇଛି । ଇଣ୍ଡିଆନ୍ ଜର୍ଣ୍ଣାଲ ଅଫ୍ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ଉକ୍ତ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି ଯେ, ଦେଶରେ ୬୪ ଲକ୍ଷରୁ ଅଧିକ ଲୋକ ମେ’ ଆରମ୍ଭ ସୁଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି । ଗ୍ରାମୀଣ ଭାରତରେ ସଂକ୍ରମଣ ସଂଖ୍ୟା ସବୁଠୁ ଅଧିକ ରହିଛି । ଗ୍ରାମୀଣ ଭାରତରେ ସର୍ବାଧିକ ୬୯.୪ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷେ ସହରାଞ୍ଚଳରେ ବସ୍ତି ଗୁଡ଼ିକରେ ୧୫.୯ ପ୍ରତିଶତ ଏବଂ ସହରାଞ୍ଚଳ ଅଣବସ୍ତି ଅଞ୍ଚଳରେ ୧୪.୬ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହା ମଧ୍ୟ ଜଣାପଡ଼ିଛି ଯେ, ୧୮-୪୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ସେରୋ ପଜିଟିଭ୍ ସର୍ବାଧିକ ୪୩.୩ ପ୍ରତିଶତ ରହିଛି ।
ଏହାପରେ ୪୬ରୁ ୬୦ ବର୍ଷ ମଧ୍ୟରେ ସେରୋ ପଜିଟିଭ୍ ୩୯.୫ ପ୍ରତିଶତ ଏବଂ ୬୦ ବର୍ଷରୁ ଅଧିକ ବୟସ ମଧ୍ୟରେ ସେରୋ ପଜିଟିଭ୍ ୧୭.୨ ପ୍ରତିଶତ ରହିଛି । ମେ’ ପ୍ରଥମ ସୁଦ୍ଧା ଦେଶରେ ୬୪ ଲକ୍ଷ ୬୮ ହଜାର ୩୮୮ ଯୁବଗୋଷ୍ଠୀ କରୋନା ସଂକ୍ରମିତ ହୋଇଛନ୍ତି । ମେ’ ୧୧ରୁ ଜୁନ୍ ୪ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ୨୮,୦୦୦ ବ୍ୟକ୍ତିବିଶେଷଙ୍କୁ ସର୍ବେକ୍ଷଣରେ ସାମିଲ କରାଯାଇଥିଲା । ତେବେ ସାମଗ୍ରିକ ଭାବେ ଭାରତରେ ସେରୋ ପଜିଟିଭ୍ କମ୍ ରହିଛି । ୨୧ଟି ରାଜ୍ୟରେ ଏହି ସର୍ଭେ କରାଯାଇଛି । ମୋଟ୍ ୦.୭୩ ପ୍ରତିଶତ ଯୁବଗୋଷ୍ଠୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।