

ସତ୍ୟଶିଖା ୦୩/୦୨/୨୦୨୧ : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ । ବୁଧବାରଠାରୁ ହାଇଟେକ୍ ଛକରୁ ଦୟା ବ୍ରିଜ୍ ପର୍ଯ୍ୟନ୍ତ ୧୨ କି.ମି ରାସ୍ତାରୁ ଅନ୍ଧାର ଦୂରେଇଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏନଫୋର୍ସମେଣ୍ଟ ଟିମ୍ ବୁଲଡୋଜର ସାହାଯ୍ୟରେ ସପ୍ତସତୀ ମନ୍ଦିର ନିକଟ ଛକଠାରୁ ଦୟା ୱେଷ୍ଟ କେନାଲ ପର୍ଯ୍ୟନ୍ତ ଥିବା ଜବରଦଖଲ ଉଚ୍ଛେଦ କରିଛି ।
ରାସ୍ତାଘାଟ ସଫେଇ ସହିତ ପ୍ରାୟ ୬ଟି ସ୍ଥାନରେ ସ୍ୱାଗତ ମଞ୍ଚ ନିର୍ମାଣ କରାଯାଇଛି । ହାଇଟେକ୍ ଛକ, ପାଣ୍ଡରା ଛକ, କେସୁରା, ଟଙ୍କପାଣି ସାଇମନ୍ଦିର, ଶିଶୁପାଳଗଡ଼, ଲିଙ୍ଗିପୁର ଛକରେ ମଞ୍ଚ ପ୍ରସ୍ତୁତ ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଅପରାହ୍ଣ ସାଢ଼େ ୫ଟାରେ ହେବାକୁ ସ୍ଥିର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ । ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତନାରାୟଣ ଜେନା ଏବଂ ସୁଶାନ୍ତ କୁମାର ରାଉତଙ୍କ ସମେତ ବିଭିନ୍ନ ଅଧିକାରୀ, ପୂର୍ବତନ କର୍ପୋରେଟର, ପଞ୍ଚାୟତ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାସ୍ତା ପାଇଁ ୩୮୭ଟି ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟ ବ୍ୟବହାର ହୋଇଥିବା ବେଳେ ସବୁଥିରେ ୨ଟିକରି ଏଲ୍ଇଡି ବଲ୍ବ ଲାଗିଛି । ୪ଟି ପ୍ରମୁଖ ଛକରେ ହାଇମାଷ୍ଟ ବ୍ୟବହାର କରାଯାଇଛି । ଏଥିପାଇଁ ୭ଗୋଟି ଟ୍ରାନ୍ସଫର୍ମର ବସିଥିବାବେଳେ ୨କୋଟି ୮୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା ୩କୋଟି ଟଙ୍କା ମଞ୍ଜୁର କରି ବିଏମ୍ସିକୁ ପର୍ଯ୍ୟଟନ ବିଭାଗରୁ ହସ୍ତାନ୍ତର କରାଇଥିଲେ । ପୁରୀ ଯିବାପାଇଁ ପର୍ଯ୍ୟଟକଙ୍କର ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଅନ୍ଧକାର ସୁଯୋଗ ନେଇ ରାହାଜାନି, ଲୁଟ୍ତରାଜ ଓ ବିଭିନ୍ନ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଥିଲା । ପୁରୀ ବାଇପାସ୍ ରାସ୍ତା ଆଲୋକୀକରଣ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ଏନେଇ ମନ୍ତ୍ରୀ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ତତ୍କାଳ ଆଲୋକୀକରଣ ପାଇଁ ନିର୍ଦେଶ ଦେଇଥିଲେ । ଏ ସବୁର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର ବୋଲି ମନ୍ତ୍ରୀ କହିଛନ୍ତି ।