
ସତ୍ୟଶିଖା ୧୬/୧୨/୨୦୨୦ : ବିବାହ ପରେ ମହିଳାମାନେ ଅନେକ ସମୟରେ ଘରୋଇ ହିଂସାର ଶିକାର ହୋଇଥାନ୍ତି । ଶାଶୁଘରେ ସ୍ୱାମୀଙ୍କଠାରୁ ଆରମ୍ଭ କରି ଅନ୍ୟ ସଦସ୍ୟମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି । ତେବେ କେତେକ ସ୍ଥଳରେ ସ୍ୱାମୀମାନେ ସେମାନଙ୍କ ସ୍ତ୍ରୀଙ୍କ ପ୍ରତି ବହୁ ଅତ୍ୟାଚାର, ହିଂସା ଆଚରଣ କରୁଛନ୍ତି । ଏ କ୍ଷେତ୍ରରେ ୧୭ ରାଜ୍ୟ ଏବଂ ୫ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ କର୍ଣ୍ଣାଟକ ସବୁଠୁ ଆଗରେ ରହିଛି ।ଦ ନ୍ୟାଶନାଲ ଫ୍ୟାମିଲି ହେଲ୍ଥ ସର୍ଭେ (ଏନଏଚଏଫଏସ)-୫ (୨୦୧୯-୨୦) ତଥ୍ୟରୁ ଏହା ଜଣାପଡ଼ିଛି । ତଥ୍ୟ ଅନୁସାରେ ୧୮ରୁ ୪୯ ବର୍ଷ ବୟସର ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା । ସେଥିରୁ ୪୪ ପ୍ରତିଶତ ମହିଳା ତାଙ୍କ ଜୀବନ କାଳରେ ସ୍ୱାମୀଙ୍କଠାରୁ ହିଂସାର ଶିକାର ହୋଇଛନ୍ତି । ସର୍ଭେ କରାଯାଇଥିବା ୧୭ଟି ରାଜ୍ୟ ଏବଂ ୫ଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ କର୍ଣ୍ଣାଟକ ସବୁଠୁ ଆଗରେ ରହିଛି ।
ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧତ ଏହି ସର୍ଭେ ରିପୋର୍ଟ ଉନ୍ମୋଚନ କରିଥିଲେ । ସର୍ଭେ ଅନୁସାରେ, ବିହାର ହେଉଛି ୨ୟ ରାଜ୍ୟ, ଯେଉଁଠି ୪୦ ପ୍ରତିଶତ ମହିଳା ସ୍ୱାମୀଙ୍କଠାରୁ ଅତ୍ୟାଚାର ଏବଂ ହିଂସା ଆଚରଣର ଶିକାର ହୋଇଛନ୍ତି । ୩ୟ ସ୍ଥାନରେ ରହିଛି ମଣିପୁର (୩୯.୬%), ୪ଥରେ ତେଲେଙ୍ଗାନା (୩୬.୯%), ୫ମରେ ଆସାମ (୩୨%) ଏବଂ ୬ଷ୍ଠରେ ଆନ୍ଧ୍ର ପ୍ରଦେଶ (୩୦%) ।
ଏନଏଚଏଫଏସ-୪ (୨୦୧୫-୧୬) ତଥ୍ୟ ସହିତ ଏନଏଚଏଫଏସ-୫ର ତଥ୍ୟକୁ ତୁଳନାତ୍ମକ ଦୃଷ୍ଟିରେ ଦେଖିଲେ, କର୍ଣ୍ଣାଟକ ଏବଂ ଆସାମରେ ଏହି ହାର୍ ଯଥାକ୍ରମେ ୨୦.୬ ପ୍ରତିଶତ ଏବଂ ୨୪.୫ ପ୍ରତିଶତ ବୃଦ୍ଧି ପାଇଛି । ତେବେ ମଣିପୁର, ବିହାର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ୨୦୧୫-୧୬ରୁ ଏପରି ଅପରାଧ ହ୍ରାସ ପାଇଥିବା ଟାଇମ୍ସ ଅଫ୍ ଇଣ୍ଡିଆ ପ୍ରକାଶ କରିଛି ।