
ସତ୍ୟଶିଖା (କଟକ) ୨୬/୧୨/୨୦୨୦ : ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘର ତଲାସୀ ବେଳେ ଗୁପ୍ତ କୋଠରିରୁ ମିଳିଲା ୧୬.୫ ଲକ୍ଷ ଟଙ୍କା, ୧୭୫ ରାଉଣ୍ତ ଗୁଳି ଜବତ l ଆଜି ଦ୍ବିତୀୟ ଦିନ ରିମାଣ୍ତର ଜେରା ସମୟରେ ଧଳସାମନ୍ତ ବ୍ରଦର୍ସଙ୍କ ଘର ତଲାସୀ କରିଥିଲା କମିସନରେଟ୍ ପୁଲିସ୍ । ତାଙ୍କ ଘରର ବେଡ଼୍ ରୁମ୍ ସିଲିଂ ଭିତରୁ ୧୬ ଲକ୍ଷ ୫୦ ହଜାର ନଗଦ ଟଙ୍କା ଓ ୧୭୫ ରାଉଣ୍ତ ଗୁଳି ଜବତ ହୋଇଛି । ଏହାସହ ଗତକାଲି ସେଠାରୁ ୩ଟି ବନ୍ଧୁକ ଓ ଶହେରୁ ଅଧିକ ରାଉଣ୍ତ ଗୁଳି ଜବତ କରାଯାଇଥିଲା । କଟକ ଡିସିପି ପ୍ରତୀକ୍ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କୁ କମିସନରେଟ୍ ପୁଲିସ ୩ ଦିନିଆ ରିମାଣ୍ତରେ ନେଇଥିବା ବେଳେ ଗତକାଲି ରିମାଣ୍ତର ପ୍ରଥମ ଦିନରେ ଦୁଇ ଭାଇଙ୍କୁ ଅଲଗା ଅଲଗା ଜେରା କରାଯାଇଥିଲା । ଏଥିସହ କଟକ ସିଡିଏସ୍ଥିତ ଘର ତଲାସୀ ବେଳେ ୩ଟି ବନ୍ଧୁକ ଓ ଶହେରୁ ଅଧିକ ରାଉଣ୍ତ ଗୁଳି ଜବତ ହୋଇଥିଲା । ଆଜି ଦ୍ବିତୀୟ ଦିନର ରିମାଣ୍ତରେ ପଚରାଉଚରା ସହ ସର୍ଚ୍ଚ ବେଳେ ଡ଼ି ବ୍ରଦର୍ସଙ୍କ ଘର ବେଡ଼ ରୁମ୍ ସିଲିଂ ମଧ୍ୟରୁ ସାଢ଼େ ୧୬ଲକ୍ଷ ଟଙ୍କା ଓ ୧୭୫ ରାଉଣ୍ତ ଗୁଳି ଜବତ ହୋଇଛି । ସେହିଭଳି ବନ୍ଧୁକଗୁଡ଼ିକ ଚୋରାରେ ଆସି ଅପରାଧୀଙ୍କୁ ବିକ୍ରି କରାଯାଉଥିବା କଟକ ଡ଼ିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି ।
ଗତକାଲି ରିମାଣ୍ଡର ପ୍ରଥମ ଦିନରେ ପ୍ରଥମେ ସୁଶାନ୍ତ ଧଳସାମନ୍ତକୁ ଆଣି ପୁଲିସ୍ ଘରର ବିଭିନ୍ନ କୋଣ ଅନୁକୋଣକୁ ଖୋଜିଥିଲା । ପରେ ସୁଶୀଲ ଧଳସାମନ୍ତକୁ ଆଣି ଘର ଭିତରେ ବନ୍ଧୁକ ଖୋଜଯାଇଥିଲା । ଶେଷରେ ଘର ଭିତରୁ ମୋଟ ୩ଟି ବନ୍ଧୁକ,୧୦୦ରୁ ଅଧିକ ଗୁଳି ଓ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା । ଏଥିସହ ପୁଲିସ୍ ଜେରା ସମୟରେ ବିହାରରୁ କଟକ ପର୍ଯ୍ୟନ୍ତ କିପରି ବନ୍ଧୁକ କାରବାର ହେଉଥିଲା ସେ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲା । ଏଯାଏ ଚୋରା ବନ୍ଧୁକ କାରବାର ମାମଲାରେ ଧଳସାମନ୍ତଙ୍କ ଘରୁ ମୋଟ ୧୧ଟି ବନ୍ଧୁକ ଜବତ ହୋଇସାରିଲାଣି ବୋଲି ଡିସିପି ପ୍ରତୀକ ସି˚ହ ସୂଚନା ଦେଇଛନ୍ତି । ରିମାଣ୍ତର ପ୍ରଥମ ଦିନ କମିସନରେଟ ପୁଲିସ୍ ପାଇଁ ବେଶ୍ ଫଳପ୍ରଦ ହୋଇଥିବା କୁହାଯାଇଛି ।

ପ୍ରଥମ ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇ ଭାଇଙ୍କୁ ପୁଲିସ୍ ଜେରା କରିଥିଲା । ସୁଶାନ୍ତକୁ ମାଲଗୋଦାମ ଥାନାରେ ଓ ସୁଶୀଲକୁ ଚୌଦ୍ବାର ଥାନାରେ ଅଲଗା ଅଲଗା କରି ଜେରା କରାଯାଇଥିଲା । ପରେ ରାତି ପ୍ରାୟ ୨ଟା ବେଳକୁ ଦୁଇ ଭାଇଙ୍କୁ ଏକ ଗୁପ୍ତ ସ୍ଥାନରେ ମୁହାଁମୁହିଁ ଜେରା କରାଯାଇଥିଲା । ପୁଲିସ୍କୁ ବନ୍ଧୁକ କାରବାର ସ˚କ୍ରାନ୍ତରେ କିଛି ଠୋସ୍ ପ୍ରମାଣ ମିଳିବା ପରେ ଧଳସାମନ୍ତଙ୍କ ସିଡିଏ ସ୍ଥିତ ଘରେ ଆହୁରି ବନ୍ଧୁକ ଗୁଳି ରଖାଯାଇଥିବା ଜେରା ବେଳେ ପୁଲିସ୍ ଜାଣିବାକୁ ପାଇଥିଲା । ଶୁକ୍ରବାର ଦିନ ପ୍ରାୟ ସାଢେ ୧୧ଟା ବେଳକୁ ସୁଶାନ୍ତକୁ ପୁଲିସ୍ ସିଡିଏସ୍ଥିତ ଘରକୁ ନେଇଥିଲା । ହେଲେ ପୁଲିସ୍କୁ ସେ କିଛି ବି ସହଯୋଗ କରିନଥିଲା । ଯାହାଫଳରେ ପୁଲିସ୍ ବନ୍ଧୁକ ବିଷୟରେ ବିଶେଷ ସୂଚନା ପାଇନଥିଲା । ତେଣୁ ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । କିନ୍ତ ସେମାନେ ବି ଫେଲ୍ ମାରିଥିଲେ । ଦିନ ପ୍ରାୟ ୨ଟା ବେଳକୁ ସୁଶୀଲକୁ ଘରକୁ ନିଆଯାଇ ଖୋଜାଖୋଜି କରାଯିବା ବେଳେ ସେ ପୁଲିସ୍କୁ ଗୁପ୍ତ ସ୍ଥାନ ବିଷୟରେ ଜଣାଇ ଦେଇଥିଲା । ସେତେବେଳକୁ ଘରର ଅଧାରୁ ଅଧିକ କାନ୍ଥକୁ ପୁଲିସ୍ ଖୋଳି ଦେଇଥିଲା । ଗୁପ୍ତ ଚାମ୍ବର ଭିତରୁ ପୁଲିସ୍ ତିନୋଟି ବନ୍ଧୁକ ଓ ଗୁଳି ପାଇଥିଲା । ଘରର ଅନ୍ୟ ସ୍ଥାନରୁ ପୁଲିସ୍କୁ ବିପୁଳ ପରିମାଣର ଟଙ୍କା ମିଳିଥିବା ସୂଚନା ମିଳିଛି । ରିମାଣ୍ତର ପ୍ରଥମ ଦିନର ସ˚ଧ୍ୟାବେଳେ ଧଳସାମନ୍ତ ଭାଇଙ୍କୁ ଘରୁ ଫେରାଇ ନିଆଯାଇ ବିଭିନ୍ନ ସ୍ଥାନରେ ରଖାଯାଇ ପୁଲିସ୍ ଜେରା କରିଥିଲା ।ଗତ ୧୦ ତାରିଖରେ ଧଳସାମନ୍ତଙ୍କ ବନ୍ଧୁକ କାରବାର ସ˚କ୍ରାନ୍ତରେ ଚୌଦ୍ବାର ଥାନା ପୁଲିସ୍କୁ ଖବର ମିଳିଥିଲା । ବିରୂପା ବ୍ରିଜ ନିକଟରେ ବନ୍ଧୁକ କାରବାର ହେଉଥିବା ଖବର ପାଇ ଚୌଦ୍ବାର ଆଇଆଇସି ସେଠାରେ ଚଢାଉ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଥିଲେ । ସେମାନଙ୍କୁ ଜେରା କରାଯାଇ ଏହି କାରବାରରେ ଧଳସାମନ୍ତ ଭାଇ ମୁଖ୍ୟ କାର୍ପଟଦାର ବୋଲି ପୁଲିସ୍ ଜାଣିବାକୁ ପାଇଥିଲା । ତେଣୁ ଯେଉଁମାନଙ୍କୁ ବନ୍ଧୁକ ଯୋଗାଇ ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପୁଲିସ୍ ଧରିବା ସହିତ ୨୦ରୁ ଅଧିକ ବନ୍ଧୁକ ଜବତ ଓ ହଜାରେରୁ ଅଧିକ ଗୁଳି ଜବତ କରିଥିଲା । ଏବେ ବି ଆହୁରି ଅନେକ ସ୍ଥାନକୁ ବନ୍ଧୁକ ଚାଲାଣ ହୋଇଥିବା ନେଇ ପୁଲିସ୍ ସନ୍ଦେହ କରୁଛି । ତେଣୁ କେଉଁଭଳି ଭାବେ ବିହାରରୁ କଟକକୁ ବନ୍ଧୁକ ଆସୁଥିଲା ତାହା ଉପରେ ପୁଲିସ୍ ଏହି ରିମାଣ୍ତ ସମୟରେ ତଥ୍ୟ ସ˚ଗ୍ରହ କରିବାରେ ଲାଗିପଡ଼ିଛି । ତଥାପି ଏହି ଦୁଇ ଭାଇ ନିଜେ ବିହାର ନଯାଇ କୌଣସି ଡିଲରଙ୍କ ମାଧ୍ୟମରେ କାରବାର ନିୟନ୍ତ୍ରଣ କରୁଥିବା ସୂଚନା ମିଳିଥିବା କୁହାଯାଉଛି ।