

ସତ୍ୟଶିଖା( ଭୁବନେଶ୍ୱର )୧୦.୧୧.୨୦୨୨: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକଙ୍କ ବୈବାହିକ ଜୀବନ ଏବେ ଦୋ’ଛକିରେ ପହଞ୍ଚିଛି। ଗୋଟିଏ ସମୟରେ ଏହି ଦୁଇ କ୍ରୀଡ଼ାବିତ୍ଙ୍କ ସଂପର୍କ କ୍ରୀଡ଼ା ଦୁନିଆରେ ଆକର୍ଷଣୀୟ ରହୁଥିଲା। କିନ୍ତୁ ଏବେ ବିଛେଦ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ତେବେ ଯଦିଓ ଏ ନେଇ ସାନିଆ କି ସୋଏବ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରିନାହାନ୍ତି ମାତ୍ର ସେମାନଙ୍କ ବନ୍ଧୁମାନଙ୍କ ସୂତ୍ରରୁ ଜାଣିବାକୁ ମିଳିଛି ଯେ କଥାଟା ସତ।
ସେମାନଙ୍କର ଜଣେ ବନ୍ଧୁ କହିଛନ୍ତି ଯେ ସାନିଆ ଓ ସୋଏବଙ୍କ ସଂପର୍କରେ ତିକ୍ତତା ଅନେକ ଦିନର। ସେମାନେ ଖୁବ୍ ଶୀଘ୍ର ବିଚ୍ଛେଦ ହେବେ। ସେହିପରି ଅନ୍ୟ ଜଣେ ବନ୍ଧୁ କହିଛନ୍ତି କି ସେମାନଙ୍କର ଛାଡ଼ପତ୍ର ହୋଇସାରିଛି ଓ ସେମାନେ ଅଲଗା ବି ରହୁଛନ୍ତି। ଖାଲି କଥା ପ୍ରଘଟ ବିଳମ୍ବରେ ହେଲା।
ଜାଣିବାକୁ ମିଳିଛି ଯେ ସାନିଆ ଏବେ ମୁମ୍ବାଇରେ ଅଛନ୍ତି। ଶୁକ୍ରବାର ସାନିଆ ତାଙ୍କ ପୁଅ ଇଝାନ୍ଙ୍କ ସହ ଏକ କୌତୂକିଆ ଫଟୋ ସେୟାର କରିଥିବାର ଦେଖିବାକୁ ମିଳିଛି।
ସାନିଆ ଓ ସୋଏବ୍ ୨୦୧୦ ଏପ୍ରିଲ୍ ୧୨ ତାରିଖରେ ହାଇଦ୍ରାବାଦ୍ସ୍ଥିତ ତାଜ୍ କ୍ରିଷ୍ଣା ହୋଟେଲ୍ରେ ପାରମ୍ପରିକ ହାଇଦ୍ରାବାଦୀ ମୁସଲିମ୍ ରୀତିରେ ବିବାହ କରିଥିଲେ। ୨୦୧୮ରେ ପୁତ୍ର ସନ୍ତାନ ଇଝାନ୍ଙ୍କୁ ଜନ୍ମ ଦେଇଥିଲେ। ତେବେ ନିକଟରେ ହୋଇଥିବା ଏକ ଗୁଜବ ଅନୁଯାୟୀ ସାନିଆ ଓ ସୋଏବ୍ ଖୁବ୍ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ଏବେ ଉଭୟ ଅଲଗା ହୋଇ ରହୁଥିଲା ବେଳେ ଇଝାନ୍ଙ୍କ ସହ ସମୟ କଟାଇବା ବେଳେ ସମୟ ସମୟରେ ଏକାଠି ହେଉଛନ୍ତି। ଏପରି ହେବାର ପ୍ରକୃତ କାରଣ ଯଦିଓ ଜଣାପଡ଼ିନାହିଁ, ତଥାପି ଏକ ପାକିସ୍ତାନୀ ଟେଲିଭିଜନ୍ କାର୍ଯ୍ୟକ୍ରମରେ ସାନିଆଙ୍କ ଉପରେ ସୋଏବ୍ ମିଛ କଥା କହି ଠିକିଥିବା ଅଭିଯୋଗ ମିଳିଥିଲା।